ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି ଘଟଣାରେ ଆଜି ଅନ୍ୟ ଜଣେ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି । ଫାଷ୍ଟ୍ଟ୍ରାକ କୋର୍ଟ ବିଚାରପତି ଚିତ୍ତରଂଜନ ମିଶ୍ର ଏହି ମାମଲାର ଶୁଣାଣି କରି ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୭ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୩ ମସିହା ଡିସେମ୍ବର ୩୧ ତାରିଖରେ ଘଟିଥିବା ଏହି ଘଟଣାରେ ଗତବର୍ଷ ନଭେମ୍ବର ୧୮ ତାରିଖରେ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋର୍ଟ ରାୟ ପ୍ରକାଶ ପାଇଥିଲା । ସେମାନେ ଏବେ ଜେଲରେ ଥିବା ବେଳେ ଅନ୍ୟ ୫ ଜଣ ଅଭିଯୁକ୍ତ କୋର୍ଟରେ ଅନୁପସ୍ଥିତ ରହିଥିବାରୁ କୋର୍ଟ ସେମାନଙ୍କ ବିରୁଦ୍ଧରେ ଜାନିମ ବିହୀନ ଗିରଫ ପରଓା୍ୱନା ଜାରି କରିଥିଲେ । ଏହି ଘଟଣାରେ ଜଡ଼ିତ କଟକ ବାସୁଳିସାହି ଅଂଚଳର ବାବୁଲି ଓରଫ ଅଶୋକ ମହାରଣା ହାଇକୋର୍ଟ ନିର୍ଦ୍ଦେଶ ବଳରେ ନୟାଗଡ଼ କୋର୍ଟରେ ହାଜର ହେବାରୁ ଆଜି ତାଙ୍କ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି । ଅଶୋକଙ୍କୁ ୪୧୨ ଦଫାରେ ୯ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ୫ ହଜାରେ ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ସେହିଭଳି ୨୦୧ ଦଫାରେ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨ ହଜାର ଟଙ୍କା ଜୋରିମାନା କରାଯାଇଛି । ଏହି ଦଣ୍ଡକୁ ଆସାମୀ ଏକ କାଳୀନ ଭୋଗ କରିବେ ବୋଲି ଜଣାଯାଇଛି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର୍ ଅମୀୟ ପଟ୍ଟନାୟକ ପରିଚାଳନା କରୁଥିଲେ ।






