ନୟାଗଡ଼,(ବାଘୁଆବାର୍ତ୍ତା): କୋମଣ୍ଡ ଆର୍ଆଇଙ୍କୁ ଆକ୍ରମଣ ଘଟଣାରେ ସାରା ଜିଲ୍ଲାରେ ରାଜସ୍ୱ ଅଣଗେଜେଟେଡ୍ କ୍ଷେତ୍ର କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା କଳାବ୍ୟାଜ ପରିଧାନ ଡକରା ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଗତକାଲି ଏବଂ ଆଜି ଜିଲ୍ଲାରେ ଆର୍ଆଇ ଏବଂ ଏଆର୍ଆଇ ମାନେ କଳାବ୍ୟାଜ ପରିଧାନ କରିଛନ୍ତି । ସୂଚନାନୁସାରେ, ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଓକିଲ ଏବଂ ଆରଆଇଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଛି । ଗତ ସପ୍ତାହ ଗୁରୁବାର ଅପରାହ୍ନ ୧ଟା ବେଳେ କୋମଣ୍ଡ ଆରଆଇ ଧନଞ୍ଜୟ ସାହୁ ତହସିଲ କାର୍ଯ୍ୟାଳୟ ଆସିଥିବା ବେଳେ ଓକିଲମାନଙ୍କ ସହ ଭେଟ ହୋଇଥିଲା । ଆରଆଇଙ୍କର ବଦଳି ହୋଇଥିବାରୁ କୋମଣ୍ଡ ମୈାଜାର ଜଣେ ମହିଳାଙ୍କ ମ୍ୟୁଟେସନ ପାଇଁ ଏକବର୍ଷ ପୂର୍ବରୁ ନେଇଥିବା ଟଙ୍କା ଫେରାଇ ଦେବା ପାଇଁ ଓକିଲମାନେ ଧନଞ୍ଜୟଙ୍କୁ କହିଥିଲେ । ଆର୍ଆଇ ଧନଞ୍ଜୟ କାହାରିଠାରୁ କୈାଣସି ଟଙ୍କା ଗ୍ରହଣ କରିନାହାନ୍ତି ବୋଲି କହିବା ପରେ ଉଭୟପକ୍ଷଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଓଡ଼ଗାଁ ପୋଲିସ ପହଁଚି ଉଭୟ ପକ୍ଷଙ୍କୁ ଡାକି ଆପୋଷ ସମାଧାନ କରିଥିଲେ । ମାତ୍ର ପରମୂହୂର୍ତ୍ତରେ ଆରଆଇ ଧନଞ୍ଜୟ ଓକିଲମାନେ ତାଙ୍କୁ ମାରପିଟ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓକିଲମାନଙ୍କ ତରଫରୁ ପୁର୍ଣ୍ଣଚନ୍ଦ୍ର ଦୋରା ଅନୁରୁପ ଭାବେ ଅଭିଯୋଗ କରିଥିଲେ । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଏବଂ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ସଂଘ ପକ୍ଷରୁ କଳାବ୍ୟାଜ ପରିଧାନ ଡାକରା ଦିଆଯାଇଥିଲା । ସଂଘର ସଭାପତି ସୁବାଷ ଚନ୍ଦ୍ର ମିଶ୍ର ଏବଂ ସଂପାଦକ ଅଜିତ୍ କୁମାର ଡାକୁଆଙ୍କ ନେତୃତ୍ୱରେ ସମସ୍ତ ଆର୍ଆଇ ଏବଂ ଏଆର୍ଆଇ ମାନେ ଦୁଇଦିନ ଧରି କଳାବ୍ୟାଜ ପରିଧାନ କରିଥିବା ଜଣାଯାଇଛି ।





