ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରୁ ଗତକାଲି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ିଛି । ଏହି ୩ ଜଣ ଆକ୍ରାନ୍ତ ଯଥାକ୍ରମେ ଦେବୋତ୍ତର କଲୋନୀ, ଯଦୁମଣୀନଗର ଏବଂ ଜାମୁସାହିରୁ ଚିହ୍ନଟ ହୋଇଛନ୍ତି । ଏହି ତିନିଜଣ ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ଏଥି ମଧ୍ୟରୁ ଜାମୁସାହିରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ସୁନା ଦୋକାନ କର୍ମଚାରୀ ବୋଲି ସୂଚନା ମିଳିଛି । ଏହି ବ୍ୟକ୍ତି ତାଙ୍କ ଗ୍ରାମରେ ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଜାମୁସାହିକୁ କଣ୍ଟେନମେଣ୍ଟ ଘୋଷଣା କରାଯିବାର ସମ୍ଭାବନା ରହିଛି । ସେହିପରି ଭାବେ ଦେବୋତ୍ତର କଲୋନୀ ଏବଂ ଯଦୁମଣୀ ନଗରରେ ସୁନା ବ୍ୟବସାୟୀ ଲିଙ୍କ ଥିବାରୁ ଉକ୍ତ ଅଂଚଳକୁ ତିନିଦିନିଆ ସଟ୍ଡାଉନ୍ କରାଯିବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ, ଏହି ଅଂଚଳରୁ ପ୍ରଶାସନ ପକ୍ଷରୁ ବିଶୋଧନ କରାଯିବା ଏବଂ ରାପିଡ୍ ସ୍ୱାବ ପରୀକ୍ଷା କରାଯିବାର ଯୋଜନା ରହିଛି । ଏହି ଅଂଚଳ ଉପରେ ପୁଲିସ ସ୍ୱତନ୍ତ୍ର ନଜର ରଖିବ । ଯେପରି ଏହି ଅଂଚଳ ବାସୀ ବାହାରକୁ ନବାହରିବେ ଏବଂ ବାହାର ଲୋକ ଏହି ଅଂଚଳକୁ ପ୍ରବେଶ ନକରିବେ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ଜଣାଯାଇଛି । ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ଡ. ପୋମା ଟୁଡୁ ବିଧିବଧ ଭାବେ ଘୋଷଣା କରିବାର ସମ୍ଭାବନା ରହିଛି ।






