ଭୁବନେଶ୍ୱର : କୋଭିଡ୍-୧୯ର କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମରେ ଆଜି ରାଜ୍ୟର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍)ରେ ଛତୁଆ ମିଶ୍ରଣ କରାଯାଇଛି । ଏହି ମିଶ୍ରଣ ସମୟରେ କୋଭିଡ୍-୧୯ର ସମସ୍ତ ନିୟମାବଳୀକୁ ଅନୁପାଳନ କରାଯିବା ସହ ବିଶୋଧନ ଏବଂ ସ୍ୱଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଛତୁଆ ମିଶ୍ରଣ କରିଥିଲେ । ପ୍ରକାଶ ଥାଉ କି, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କର ସମନ୍ୱିତ ପୁଷ୍ଟିସାଧନ ନିମନ୍ତେ ପ୍ରତ୍ୟେକ ମାସରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶୁଖିଲା ଖାଦ୍ୟ ଭାବେ ଛତୁଆ, ଚିକି, ଲଡୁ ଆଦି ବଣ୍ଟନ କରାଯାଉଛି । ଛତୁଆ ପ୍ରସ୍ତୁତି ଏବଂ ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ନିମନ୍ତେ ଏବେ ପ୍ରତି ମାସର ୨୩ ତାରିଖରେ ଛତୁଆ ମିଶ୍ରଣ କରାଯାଇ ୧ ତାରିଖରେ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟନ କରାଯାଉଛି । ଏହା ଦ୍ୱାରା ଛତୁଆ ମିଶ୍ରଣର ଗୁଣାତ୍ମକ ମାନ ବଜାୟ ରଖାଯିବା ସହ ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ପାରିଛି । ରାଜ୍ୟର ପ୍ରାୟ ୪୨ ଲକ୍ଷ ଗର୍ଭବତୀ, ପ୍ରସୂତି ଏବଂ ଶିଶୁ ଏହା ଦ୍ୱାରା ଉପକୃତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲାର ଉପଜିଲ୍ଲାପାଳ, ବିଡ଼ିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରି ଏହି ମିଶ୍ରଣ ପ୍ରକ୍ରିୟା ତଦାରଖ କରିଥିଲେ ।





