ପୁରୀ, (ବାଘୁଆବାର୍ତ୍ତା): ନାବାଳିକାକୁ ପ୍ରେମ ବିବାହ କରିଥିଲା ନାବାଳକ । ଦୁହେଁ ବିବାହ କରିବା ପରେ ନାବାଳିକା ପରିବାର ନିରବ ରହି ଯାଇଥିଲେ । ତେଣୁ ଘଟଣା ଥାନାକୁ ନଆସି ଚପି ଯାଇଥିଲା । ହେଲେ ନାବାଳିକା ଗର୍ଭବତୀ ହୋଇ ଯେତେବେଳେ ସନ୍ତାନ ଜନ୍ମ ଦେଲା, ସେହି ସମୟରେ ଘଟଣା ସାମ୍ନାକୁ ଆସିଲା । ଏନେଇ ମାମଲା ରୁଜୁ କରି ନାବାଳକକୁ ଜେଜେବି ପଠାଇଲା ପୁଲିସ । ଜାମିନ୍ ନାମଞ୍ଜୁର ହେବାରୁ ନାବାଳକକୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ୍ ହୋମ୍କୁ ପଠାଇ ଦିଆଯାଇଛି । ସଦର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ କହିଛି ଯେ, ୨ ବର୍ଷ ତଳେ ନାବାଳକ ଓ ନାବାଳିକା ଘର ଛାଡ଼ି ଚମ୍ପଟ୍ ମାରିଥିଲେ । ଉଭୟ ବିବାହ କରି ଜୀବନଯାପନ କରୁଥିଲେ । ୨ ପରିବାର ନିରବ ଥିବା ଯୋଗୁ ଘଟଣା ସମ୍ପର୍କରେ ପୁଲିସ ଜାଣି ପାରିନଥିଲା । ନାବାଳିକା ଗର୍ଭବତୀ ହୋଇଥିଲେ ବି କେହି ଏ ସମ୍ପର୍କରେ ମୁହଁ ଖୋଲି ନଥିଲେ । ନାବାଳିକା ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ ନାବାଳିକା ହୋଇଥିବାରୁ ପ୍ରସବ କରାଇଥିବା ଡାକ୍ତର ଏ ସମ୍ପର୍କରେ ନିୟମ ଦୃଷ୍ଟିରୁ ପୁଲିସକୁ ଜଣାଇଥିଲେ । ଶେଷରେ ପୁଲିସ ନିଜ ଆଡ଼ୁ ରୁଜୁ କରିଥିଲା ମାମଲା । ଏହି ମାମଲାରେ ୨ ବର୍ଷ ପରେ ଫସିଲା ନାବାଳକ । ସଚେତନ ଅଭାବରୁ ଏଭଳି ଘଟଣା ଘଟୁଥିବା କହିଛନ୍ତି ଏସ୍ଆଇ ସୌମ୍ୟ ରଞ୍ଜନ ବିଶ୍ୱାଳ ।





