
ନୟାଗଡ଼, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗ୍ରାମରେ ବହୁ ଚର୍ଚ୍ଚିତ ଡକାୟତୀ ଘଟଣାରେ ନୟାଗଡ଼ର ଲକ୍ଷ୍ମୀନାରାୟଣ ଜୁଏଲରୀ ମାଲିକାଣୀ ଗିରଫ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ନୟାଗଡ଼ ଶିବାଜୀନଗରର ରତ୍ନାକର ସାହୁ(୫୦) ଓ ବୋଲଗଡ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଗଦାଧର ନାୟକ(୫୪) । ପୁଲିସ ସୂଚନାନୁସାରେ, ରତ୍ନାକର ଓ ଗଦାଧର ନୟାଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଓଡି.୨୫.ଜେ-୧୦୩୪ ନମ୍ବର ବିଶିଷ୍ଟ ବାଇକ୍ରେ ଯାଉଥିଲେ । ଖବରପାଇ ବାଘମାରୀ ପୁଲିସ ସେମାନଙ୍କୁ ବାମଡିହଠାରେ ଅଟକାଇ ଥାନାକୁ ନେଇ ପଚରାଉଚରା କରିଥିଲା । ସେମାନେ ଦୁଇ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିବାବେଳେ ସେମାନଙ୍କଠାରୁ ଚୋରି ଅଳଙ୍କାର ରଖିଥିବା ନେଇ ବଣିଆ ରତ୍ନାକର ପୁଲିସ ଆଗରେ ମାନିଥିଲା । ଏହି ଘଟଣାରେ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି । ସେମାନଙ୍କ ଠାରୁ ନଗଦ ୪ହଜାର ୭ଶହ ଟଙ୍କା, ୩୮.୨୦୦ଗ୍ରାମ ଓଜନର ତରଳ ସୁନା, ୧.୫୨୮ଗ୍ରାମ ଓଜନର ରୂପା ଅଳଙ୍କାର, ଏକ ବନ୍ଧୁକ, ବମ୍ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ୪୦୦ଗ୍ରାମ ବାରୁଦ, ଗୋଟିଏ ସେଲୋଟେପ୍, ୫ଟି ଗୁଟଖା ଡବା, ଅଳଙ୍କାର ଓଜନରେ ବ୍ୟବହୃତ ନିକିତି ଓ ବଟକରା ଏବଂ ସେମାନେ ବ୍ୟବହାର କରୁଥିବା ମୋଟରସାଇକେଲକୁ ପୁଲିସ ଜବତ କରିଛି । ନୟାଗଡ ଟାଉନ ଥାନା ଅନ୍ତର୍ଗତ ଶିବାଜୀ ନଗରର ମହିଳା ଅନିତା ସାହୁ(୪୫)ଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଜି ତାଙ୍କ ସ୍ୱାମୀ ରତ୍ନାକରଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ରତ୍ନାକରଙ୍କ ନାମରେ ପୂର୍ବରୁ ନୟାଗଡ ସଦରଥାନାରେ ଅପରାଧିକ ମାମଲା ରହିଥିବା ପୁଲିସ ପ୍ରକାଶ କରିଛି ।





