ନୟାଗଡ଼, (ବାଘୁଆବାର୍ତ୍ତା): ବିଭିନ୍ନ ଚୋରୀ ଓ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଜଣ ଡକାୟତଙ୍କୁ କାବୁ କରିଛି ନୟାଗଡ଼ ଟାଉନ ଥାନା ପୁଲିସ । ଗତ ୯ ତାରିଖରେ ମହିଳା ଇନିସ ପେକ୍ଟର ମନୋରମା ମଲ୍ଲିକ ଘରକୁ ଫେରୁଥିବା ବେଳେ ତାଙ୍କ ବେକରୁ ଦୁଇ ଜଣ ଦୁର୍ବୁତ କଳା ପଲ୍ସରରେ ଆସି ସୁନା ଚେନ ଲୁଟ କରିଥିଲେ । ସେହିପରି ପିଟିଏସରେ କାର୍ଯ୍ୟରତ ନର୍ସ ଅନିତାଙ୍କ ଠାରୁ ଲୁଟ ହୋଇଥିଲା । ଡକାୟତଙ୍କୁ ଧରିବା ପାଇଁ ଟାଉନ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା ।
ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗଦାପ୍ରସାଦ ହାଉସିଂ ବୋର୍ଡରେ ରହୁଥିବା କାଳି ପ୍ରସାଦ ରାଉତ ଓ ଖୋର୍ଦ୍ଧା ଥାନା ପାଲାମାଝି ସାହିରେ ରହୁଥିବା ସମ୍ପଦ ଦାସଙ୍କୁ ନୟାଗଡ଼ ଟାଉନ ଥାନା ଗିରଫ କରିଛି । ଏହି ଦୁଇ ଜଣଙ୍କ ନାମରେ ୨୦ ରୁ ଉର୍ଦ୍ଧ୍ୱ ମାମଲା ବିଭିନ୍ନ ଥାନାରେ ରହିଛି । ନୟାଗଡ଼ ଟାଉନ ଥାନା ୧୧୭/୨୦୨୩, ୧୧୮/୨୦୨୩ ଓ ରଣପୁର ଥାନା ୧୮୪/୨୦୨୩ ତିନିଗୋଟି ମାମଲା ରୁଜ କରାଯାଇଥିଲା ।
ନୟାଗଡ଼ ଟାଉନ ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ସେମାନଙ୍କ ଠାରୁ ୪ ଗୋଟି ସୁନା ଚେନ ଧରିବା ସହ ଏକ ପଲସର ଗାଡିକୁ ପୋଲିସ ଜବତ କରିଛି । ମହିଳା ଇନିସପେକ୍ଟର ମନୋରମା ମଲ୍ଲିକଙ୍କର ସୁନା ଚେନଟି ଉଦ୍ଧାର ହୋଇଛି । ଏଥି ସହିତ ନର୍ସଙ୍କର ସୁନା ଚେନ ମିଳିଛି । ଏହି ଦୁଇ ଡକାୟତ ବିଭିନ୍ନ ସ୍ଥାନରେ ଦିନ ଦ୍ୱିପ୍ରହରେ ଲୁଟ କରୁଥିଲେ ।
ସେମାନଙ୍କୁ କୋର୍ଟ ଫରୁୱାର୍ଡ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ, ଶିବ ରଞ୍ଜନ ସିଂଘା, କନେଷ୍ଟବଳ ଦିଲ୍ଲିପ ବେହେରା, ବାବୁଲାଲ ଗୁରୁ, ସାଇବର ସେଲର କନେଷ୍ଟବଳ ଲକ୍ଷ୍ମୀକାନ୍ତ ବରାଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।





