ଭୁବନେଶ୍ୱର,(ବାଘୁଆବାର୍ତ୍ତା) : ରାଜ୍ୟରେ କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଚଳିତ ରବିରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଅଧିକରୁ ଅଧିକ ଚାଷୀ ଯେପରି ସେମାନଙ୍କ ଉତ୍ପାଦିତ ଡାଲି ଓ ତୈଳବୀଜ ଉଚିତ ମୂଲ୍ୟରେ ବିକି୍ର କରିପାରିବେ ସେଥି ନିମନ୍ତେ ଚାଷୀ ନାମ ପଂଜୀକରଣ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଆଜି ସୁଦ୍ଧା ବିଭିନ୍ନ ପ୍ୟାକ୍ସ ଜରିଆରେ ୧୦ କୋଟି ୪୯ ଲକ୍ଷ ଟଙ୍କା ମୂଲ୍ୟର ୧୭୭୧ ଟନରୁ ଊଦ୍ଧ୍ୱର୍ ମୁଗ ଏବଂ ଚିନାବାଦମ ସଂଗ୍ରହ କରାଯାଇଛି । ଏଥି ମଧ୍ୟରୁ ୭୫୫.୫ ମେଟି୍ରକ୍ ଟନ୍ ମୁଗ ଏବଂ ୧୦୧୬ ମେଟି୍ରକ୍ ଟନ୍ ଚିନାବାଦାମ ସଂଗ୍ରହ କରାଯାଇଛି । ଗତବର୍ଷ ଆଜି ତାରିଖରେ ୬୬.୫ ମେଟି୍ରକ୍ ଟନ୍ ଡାଲି ଓ ତୈଳବୀଜ ସଂଗ୍ରହ ହୋଇଥିଲା । ଫସଲ ସଂଗ୍ରହ ବାବଦକୁ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଫସଲରେ ବିବିଧିକରଣ ଆଣିବା ଲକ୍ଷ୍ୟରେ ଧାନ ବଦଳରେ ଅଧିକ ଅର୍ଥକରୀ ଫସଲ ଯଥା ଡାଲି ଓ ତୈଳବୀଜ ଚାଷ ନିମନ୍ତେ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ପରିପ୍ରେକ୍ଷୀରେ ଚଳିତ ରବିରେ ଅଧିକ ସଂଖ୍ୟକ ଚାଷୀ ଡାଲି ଓ ତୈଳବୀଜ ବିକି୍ର ନିମନ୍ତେ ବିଭିନ୍ନ ପ୍ୟାକ୍ସ ଜରିଆରେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ଅଗଷ୍ଟ ସୁଦ୍ଧା ୮୮୫୬ ଜଣ ଚାଷୀ ସେମାନଙ୍କ ନାମ ପଂଜୀକରଣ କରିଥିବାବେଳେ ଚଳିତ ରବିରେ ଆଜି ସୁଦ୍ଧା ୧୫,୯୦୦ ଜଣରୁ ଊଦ୍ଧ୍ୱର୍ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିସାରିଛନ୍ତି, ଯାହାକି ଗତବର୍ଷ ତୁଳନାରେ ୧୭୮ ପ୍ରତିଶତରୁ ଅଧିକ । ମଇ ୭ ତାରିଖରୁ ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଚାଷୀମାନଙ୍କର ନାମ ପଂଜୀକରଣ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତବର୍ଷ ରାଜ୍ୟରେ ୮ଟି ଜିଲ୍ଲାରେ ୫୫ଟି ପ୍ୟାକ୍ସ ମାଧ୍ୟମରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ଚଳିତ ବର୍ଷ ୧୭ଟି ଜିଲ୍ଲାରେ ୧୭୧ଟି ପ୍ୟାକ୍ସ ମାଧ୍ୟମରେ ଏହା ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଅନ୍ତର୍ଗତ ମାର୍କଫେଡ୍ ସଂସ୍ଥା ତରଫରୁ ୧୭୧ ପ୍ୟାକ୍ସ/ଲ୍ୟାମ୍ପସ୍ ଜରିଆରେ ଚଳିତ ରବିରେ ମୁଗ, ବିରି, ଚିନାବାଦାମ ଏବଂ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଛି । କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ଏବଂ ମାସ୍କ ପରିଧାନ ଓ ପ୍ୟାକ୍ସଗୁଡ଼ିକର ସାନିଟାଇଜେସନ୍କୁ କଡ଼ାକଡ଼ି ଭାବେ ଅନୁପାଳନ କରାଯାଇ ଏହି ସଂଗ୍ରହ କାର୍ଯ୍ୟ କରାଯାଉଛି ।





