ଅଭିଯୁକ୍ତ ବିଜେପିର ସକ୍ରିୟ କର୍ମୀ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ପିରାମିଡ୍ ଟ୍ୟୁଟୋରିଆଲ ମାଲିକ ତଥା ଟ୍ୟୁସନ ଶିକ୍ଷକ ଶୁଭ୍ରଜିତ୍ ପଣ୍ଡା ନାବାଳିକା ଛାତ୍ରୀକୁ ଅସଦାଚରଣ ଘଟଣାରେ ଗିରଫ ହୋଇଛନ୍ତି । ତାଙ୍କୁ ଆଜି ଗଣିଆ ଥାନା ପୁଲିସ ନୟାଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ଖୁଣ୍ଟୁବନ୍ଧ ଉପକାରାଗାରାକୁ ପଠାଇ ଦିଆଯାଇଛି । ସେ ଗଣିଆ ବ୍ଲକ କିଶୋରପ୍ରସାଦ ଗ୍ରାମର ପ୍ରମୋଦ କୁମାର ପଣ୍ଡାଙ୍କ ପୁଅ ବୋଲି ଜଣାପଡ଼ିଛି । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଜଣଙ୍କ ତାଙ୍କ ଟ୍ୟୁଟୋରିଆଲକୁ ପାଠ ପଢ଼ିବା ପାଇଁ ଯାଉଥିଲେ । ଶୁଭ୍ରଜିତ୍ ତାଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ସମୟରେ ଅସଦାଚରଣ କରି ଆସୁଥିଲେ । ନାବାଳିକା ଛାତ୍ରୀଙ୍କୁ ଅନେକ ସମୟରେ ନିଜ ଘରକୁ ଡାକି ନେଉଥିଲେ । ଏହା ଜାଣିବା ପରେ ପରିବାର ପକ୍ଷରୁ ଗଣିଆ ଥାନାରେ ଅଭିଯୋଗ ହୋଇଥିଲା । ନାବାଳିକା ଛାତ୍ରୀଙ୍କ ମାଆ ଶୁଭ୍ରଜିତ୍ଙ୍କୁ ବିରୁଦ୍ଧରେ ଏତଲା ଦେଇଥିଲେ । ନାବାଳିକାଙ୍କୁ ଅସଦରାଚରଣ କରିବା ସହ ଅଭିଯୁକ୍ତ ତାଙ୍କ ପରିବାରକୁ ଧମକ ଦେଉଥିବା ଅଭିଯୋଗ କରାଯାଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଗତକାଲି ଶୁଭ୍ରଜିତଙ୍କୁ ଗିରଫ କରିଥିଲା । ତାଙ୍କର ଇନ୍ଦିପଟା ଗ୍ରାମରେ ମହାବୀର କୋଚିଂ ସେଣ୍ଟର ନାମରେ ଏକ ଅନୁଷ୍ଠାନ ମଧ୍ୟ ରହିଥିବା ସୂଚନା ମିଳିଛି । ଅଭିଯୁକ୍ତ ବିଜେପିର ଜଣେ ସକ୍ରିୟ କର୍ମୀ ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି ।





