ହତ୍ୟାକାଣ୍ଡର ରହସ୍ୟ ଖୋଲିଲା କାଠ ଫାଳିଆ
ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲାରେ ଛାତ୍ରୀ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ମାଳିସାହିରେ ଶନିବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କରା ଯାଇଥିଲା । ବିଳମ୍ବିତ ରାତ୍ରିରେ ମାଳିସାହି ଗାଁ ମଝିରେ ଥିବା ବିରଞ୍ଚି ଦାଶଙ୍କ ସାନଝିଅ ନବନୀତା ଦାଶ(୧୯) ଘରେ ଶୋଇଥିବା ବେଳେ କେହି ତାଙ୍କୁ ଠେଙ୍ଗାରେ ପିଟି ରକ୍ତାକ୍ତ କରି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଡାକ୍ତରଖାନା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଶବ ଜବତ କରି ବ୍ୟବେଚ୍ଛଦ କରାଇ ବଡ଼ବାପାଙ୍କୁ ଶବ ହସ୍ତାନ୍ତର କରଯାଇଥିଲା । ଏହି ଘଟଣାରେ ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ କେଉଁ କାରଣ ନେଇ ଏପରି ଘଟଣା ଘଟିଲା ତା’ର ଅନୁସନ୍ଧାନ ପାଇଁ ପୁଲିସ ଓ ସାଇଣ୍ଟିଫିକ୍ ଦଳ ଛାନ୍ଭିନ୍ ଆରମ୍ଭ କରିଥିଲେ । ପୁଲିସ ନବନୀତାଙ୍କ ବାପା ବିରଞ୍ଚି ଦାଶ, ଦାଦା ବିପିନ ବିହାରୀ ଦାଶ ଓରଫ କାଳିଆ, ସାନଭାଇ ଓ ଜେଜେ ବଂଶିଧରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ । ଏହି ଛାତ୍ରୀଙ୍କୁ ଦାଦା ବିପିନ ବିହାରୀ ଦାଶ ଓରଫ କାଳିଆ ହତ୍ୟା କରିଥିବା ନେଇ ଆଜି ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ସ୍ପଷ୍ଟ କରିଛନ୍ତି । ଆଇଆଇସିଙ୍କ ସୂଚନାନୁସାରେ, ସେଦିନ ରାତିରେ ଛାତ୍ରୀ ନବନୀତାଙ୍କ ବାପା ବିରଂଚି ଘରେ ନଥିବା ବେଳେ ଘରେ ନବନୀତା, ତାଙ୍କ ସାନଭାଇ ଏବଂ ଜେଜେ ରହିଥିଲେ । ପୂର୍ବରୁ ପରିବାର ଭିତରେ ଚାଲିଥିବା ମନୋମାଳିନ୍ୟକୁ ନେଇ ଦାଦା କାଳିଆ ସବୁ ବେଳେ ନବନୀତାଙ୍କୁ ଦୋଷ ଦେଉଥିବା ବେଳେ ନବନୀତା ଫୋନରେ ଗପିବା ମଧ୍ୟ ତାଙ୍କୁ ଭଲ ଲାଗୁନଥିଲା । ଫଳରେ ସେ ଦିନ ରାତିରେ କାଳିଆ ଘରକୁ ଫେରିବା ବେଳକୁ ଝିଆରି କାହା ସହ ଗପୁଥିବା ଦେଖି ତାଙ୍କ ରାଗ ଚରମ ସୀମାରେ ପହଂଚିଥିଲା । ଫଳରେ ସେ ଘରେ ରୋଷେଇ ପାଇଁ ରହିଥିବା କାଠ ଗଦାରୁ ଏକ କାଠ ଆଣି ଝିଆରୀଙ୍କ ମୁଣ୍ଡକୁ ଶକ୍ତ ପାହାର ପକାଇ ଥିଲେ । ଝିଆରୀ ନବନୀତା ରକ୍ତାକ୍ତ ଅବସ୍ଥାରେ ପାଟି କରିବାରୁ କାଳିଆ ସେଠାରୁ ଚାଲି ଯାଇଥିବା ବେଳେ କାଠଗଦାକୁ ରକ୍ତ ଲଗା କାଠ ଫୋପାଡ଼ି ଦେଇଥିଲେ । ପୁଲିସ ଗତକାଲି ତଦନ୍ତ ସମୟରେ କାଠଗଦାରୁ ଏହି ରକ୍ତଭିଜା କାଠଟି ପାଇ ତଦନ୍ତ ପ୍ରକିୟାରେ ଆଗେଇଥିବା ବେଳେ ଆଜି ନବନୀତାଙ୍କୁ ଦାଦା କାଳିଆ ହତ୍ୟା କରିଥିବା ସ୍ପଷ୍ଟ କରିଛି ।






