ପୁରୀ, (ବାଘୁଆବାର୍ତ୍ତା): ଟଙ୍କା କଲେକ୍ସନ୍ କରି ଲୁଟି ନେଇଥିଲେ । କହିଥିଲେ ଚୋର ନେଇଗଲା । ହେଲେ ପୁଲିସ ତଦନ୍ତ କରିବାବେଳେ ନିଜ ଫାଶରେ ନିଜେ ଛନ୍ଦି ହେଲେ ବ୍ୟାଙ୍କ୍ ଅଧିକାରୀ । ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ର ଟଙ୍କା ଲୁଟ୍ ମାମଲାରେ ଅଧିକାରୀ ଓ ତାଙ୍କ ସହଯୋଗୀକୁ ବାନ୍ଧିଛି ଚନ୍ଦନପୁର ଥାନା ପୁଲିସ । ଗିରଫ ୨ ଜଣ ହେଲେ ଏହି ବ୍ୟାଙ୍କ୍ର ଗ୍ରାହକ ସମ୍ପର୍କ ଅଧିକାରୀ ଡେଲାଙ୍ଗ ଥାନା ଅଧୀନ ସେବତିପୁରର ସୁଶୀଲ ପ୍ରଧାନ (୨୩) ଓ ତା’ଙ୍କ ସହଯୋଗୀ ସତ୍ୟବାଦୀ ଥାନା ଅଧୀନ ଜୁଇଲୁଣ୍ଡା ଗ୍ରାମର ରଜନୀକାନ୍ତ ଜେନା (୨୩) । ସେମାନଙ୍କଠାରୁ ୧ ଲକ୍ଷ ୯୫ ହଜାର ୧୫୮ ଟଙ୍କା ସହ ଫିଙ୍ଗରପ୍ରିଣ୍ଟ୍ ସ୍କାନର, ମୋବାଇଲ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ କରିଛି ପୁଲିସ । ପୁରୀ ଭିଆଇପି ରୋଡ ଠାରେ ରହିଛି ଏହି ବ୍ୟାଙ୍କ୍ । ସଂସ୍ଥାରେ ଗ୍ରାହକ ସମ୍ପର୍କ ଅଧିକାରୀ ଭାବେ କାମ କରୁଥିବା ସୁଶୀଲ ଗତ ୧୭ ତାରିଖରେ ଚନ୍ଦନପୁର ଥାନା ଅଞ୍ଚଳରେ ବାକି ରହିଥିବା ଫାଇନାନ୍ସ ଟଙ୍କା କଲେକ୍ସନ୍ କରିବାକୁ ଯାଇଥିଲେ । ୧ ଲକ୍ଷ ୯୫ ହଜାର ୧୫୮ ଟଙ୍କା କଲେକ୍ସନ୍ କରି ଫେରିବାବେଳେ ବାଟରେ କରିଥିଲେ ଯୋଜନା । ସାଥୀ ରଜନୀକାନ୍ତକୁ ଡାକି ଏହି ଟଙ୍କା ଗାଏବ୍ କରିଥିଲେ । ପରେ ଘଟଣାକୁ ଭିନ୍ନ ମୋଡ଼ ଦେଇଥିଲେ । ଏକ ନାଟକୀୟ ଢଙ୍ଗରେ ଏତଲା ଦେଇ ମାମଲା ରୁଜୁ କରିବା ପାଇଁ ପୁଲିସକୁ ନିବେଦନ କରିଥିଲେ । ବାଙ୍ଗୁରବା-ଭାର୍ଗବୀ ନଦୀ ରାସ୍ତାରେ ଦୁର୍ବୃତ୍ତ ଏହି ଟଙ୍କା ଛଡ଼ାଇ ନେଇଥିଲେ ବୋଲି ବ୍ୟାଙ୍କ୍ର ସିଆର୍ଏମ୍ (କଷ୍ଟମର୍ ରିଲେସନ୍ ମ୍ୟାନେଜର୍) ମାନସ କୁମାର ରାଉଳଙ୍କୁ ଜଣାଇଥିଲେ । ଏନେଇ ସିଆର୍ଏମ୍ ଶ୍ରୀ ରାଉଳ ଏତଲା ଦେଇଥିଲେ । ଆଇପିସି ୩୯୪ (ଆକ୍ରମଣ କରି ଲୁଟ୍) ବଳରେ ମାମଲା (୧୨୦/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତଦନ୍ତବେଳେ ପୁଲିସ ନଜରକୁ ଆସିଥିଲେ ସୁଶୀଲ । ସେ ହିଁ ଏହି ଟଙ୍କା ଗାଏବ୍ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ଧରାପଡ଼ିଥିଲା ରଜନୀକାନ୍ତ । ତାକୁ ପଚରା ଉଚରାବେଳେ ସତ କଥା ସାମ୍ନାକୁ ଆସିଥିଲା । ଶେଷରେ ଉଭୟଙ୍କୁ ବାନ୍ଧିଥିଲା ପୁଲିସ । ମାମଲା ଅନ୍ୟ ଦଫାକୁ ଟର୍ଣ୍ଣ କରିଥିଲା । ଦଫା ବଦଳି ଆଇପିସି ୪୦୮ (କର୍ମଚାରୀଙ୍କ ଦ୍ୱାରା ଅପରାଧିକ ବିଶ୍ୱାସ ଭଙ୍ଗ) ଏବଂ ୧୨୦ (ଖ) (ଅପରାଧିକ ଷଡ଼ଯନ୍ତ୍ର) ଲାଗିଥିଲା । ଏଥିରେ ଉଭୟଙ୍କୁ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି ପୁଲିସ । ଜାମିନ୍ ନାମଞ୍ଜୁର ହେବା ପରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଥିବା କହିଛନ୍ତି ଆଇଆଇସି ସୁମତୀ ମହାନ୍ତି ।





