ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଂଚିଛି ଥିବା ବେଳେ ସେମାନଙ୍କୁ ମଧ୍ୟରୁ ୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନାନୁସାରେ, ଗଣିଆ ବ୍ଲକରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦଶପଲ୍ଲାରୁ ୪, ରଣପୁର ୩, ନୟାଗଡ଼ରୁ ୧୧ ଏବଂ ଓଡ଼ଗାଁ ବ୍ଲକରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ବାହାର ରାଜ୍ୟରୁ ଫେରି ସଂଗରୋଧରେ ରହିଥିଲେ । ଗତ ୯ ତାରିଖରେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଶରଣକୂଳ ନିକଟସ୍ଥ ହରିହରପୁର କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫ ତାରିଖରେ ଉକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିଛିଦିନ ତଳେ ପ୍ରଥମ କରୋନା ଆକ୍ରାନ୍ତ ଓଡ଼ଗାଁ ବ୍ଲକ ବଡ଼ପୁଟ ଗ୍ରାମର ସନ୍ୟାସୀ ସାହୁ ସୁସ୍ଥ ହୋଇ ଫେରିଥିବା ବେଳେ ଆଜି କରଡ଼ାରୁ ଦ୍ୱିତୀୟ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ଏହି ଆକ୍ରାନ୍ତମାନେ ହେଲେ ଓଡ଼ଗାଁ ବ୍ଲକ ନନ୍ଦିଘର ଅଂଚଳର କେନ୍ଦୁପଲ୍ଲୀ ଓ ମହୁଲିଆର ଲକ୍ଷ୍ମୀଧର ଦୋରା, ଜଗନ୍ନାଥ ଦୋରା, ସୂର୍ଯ୍ୟମଣୀ ଦୋରା ବୋଲି ସୂଚନା ମିଳିଛି । ଆକ୍ରାନ୍ତମାନେ ଫେରିବା ପରେ ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବା ପରେ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି । ସବୁଠାରୁ ବିସ୍ମୟକର କଥା ହେଉଛି ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତମାନେ ୧୦ ଦିନରେ ସୁସ୍ଥ ହେଉଥିବା ଜଣାପଡ଼ିଛି । ପ୍ରଥମ କରୋନା ଆକ୍ରାନ୍ତ ୧୯ ତାରିଖରେ ସୁସ୍ଥ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ଆକ୍ରାନ୍ତମାନେ ୨୫ ତାରିଖରେ ସୁସ୍ଥ ହୋଇଛନ୍ତି ।






