ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍ଡାଉନ୍ ଉଠିଲେ କେନ୍ଦ୍ରୀୟ ବିଦ୍ୟାଳୟ ନିଜସ୍ୱ ଗୃହକୁ ସ୍ଥାନାନ୍ତରିତ ହେବ ବୋଲି ଜିଲ୍ଲାପାଳ ଡ.ପୋମା ଟୁଡୁ ସୂଚନା ଦେଇଛନ୍ତିି । ଏ ନେଇ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହାଉସିଂବୋର୍ଡ ନିକଟରେ ଥିବା ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ.ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସବିଶେଷ ଆଲୋଚନା କରାଯିବା ସହ ବିଦ୍ୟାଳୟ ନିର୍ମାଣ ତଥା ଆନୁସଙ୍ଗିକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ ଗତ ୨୦୧୨ ମସିହାରୁ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଗତ ବର୍ଷ ଏକାଦଶ ଶ୍ରେଣୀ ଖୋଲିଥିଲା । ତେବେ ଆବଶ୍ୟକ କୋଠରୀ ଅଭାବରୁ ଗତବର୍ଷ ଏକାଦଶରେ ବିଜ୍ଞାନ ବିଷୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କର ପ୍ରାକ୍ଟିକାଲ କ୍ଲାସ, କମ୍ପ୍ୟୁଟର କ୍ଲାସ ଆଦି ଆଦୌ ହୋଇ ନଥିଲା । ତା’ଛଡ଼ା ଏଠାରେ ପଢ଼ୁଥିବା ଝିଅପିଲାଙ୍କ ପାଇଁ ପରିଶ୍ରାଗାର କିମ୍ବା ଶୌଚାଳୟର ସୁବିଧା ନଥିବାରୁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନ୍ୟପକ୍ଷରେ ବିଦ୍ୟାଳୟ ସାମନାରେ ବସ୍ଷ୍ଟପ ରହିଥିବାରୁ ଏଠାରେ ଦିନଦ୍ୱିପ୍ରହର ସବୁବେଳେ ଗହଳିଚହଳି ଏବଂ ଶବ୍ଦ ପ୍ରଦୂଷଣ ଲାଗି ରହିବା ସହ ପିଲାଙ୍କ ପାଠପଢ଼ାରେ ବହୁତ ଅସୁବିଧା ହେଉଥବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଥିବା ବେଳେ ଏନେଇ ଅଭିଭାବକ ସଂଘ ପକ୍ଷରୁ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ବିଦ୍ୟାଳୟକୁ ନୂତନ ଗୃହକୁ ସ୍ଥାନାନ୍ତର ପାଇଁ ଦାବି କରାଯାଇ ଆସୁଥିଲା । ଆଜିର ଏହି ବୈଠକରେ ବିଦ୍ୟାଳୟ ଅଧ୍ୟକ୍ଷ ଏ.ଶ୍ରୀନିବାସନ,ଅଭିଭାବକ ମହାସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ ଦାସ, ସଂଯୋଜକ ଗୌରୀଶଙ୍କର ଦାସ, ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଏବଂ ଅଭିଭାବକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।






