ନୟାଗଡ଼, (ବାଘୁଆବାର୍ତ୍ତା) :ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ଗାଁକୁ ଫେରାଇ ଆଣିବା ପାଇଁ ସରକାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ସେମାନଙ୍କର ରହିବା, ଖାଇବା ଠାରୁ ଆରମ୍ଭ କରି ଆବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ କିଟ୍ ମଧ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ନିଜ ଘର ପରିବାର ଠାରୁ ଅଲଗା ଏହି ଗୃହରେ ୨୧ ଦିନ ପର୍ଯ୍ୟନ୍ତ ରହିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏପରିକି ସେହି କ୍ୱାରେଣ୍ଟାଇନ ସେଣ୍ଟରକୁ ବାହାର ଲୋକଙ୍କ ଯିବା ଆସିବାକୁ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି । ଗୋଷ୍ଠୀ ସଂକ୍ରମଣ ନହେବା ପାଇଁ ସଂଗରୋଧ ଗୃହରେ ଥିବା ବ୍ୟକ୍ତିଙ୍କୁ ଦେଖା କରିବା, ଛୁଇଁବା, ତାଙ୍କ ସାମଗ୍ରୀକୁ ଅନ୍ୟମାନେ ବ୍ୟବହାର କରିବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ସେମାନଙ୍କର ଦେଖାଶୁଣା କରିବାକୁ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଦିନ ରାତି ଗ୍ରାମରକ୍ଷୀ ମାନେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଜଗି ବସିଛନ୍ତି । ତେବେ ଗଣିଆରେ ଥିବା ରଘୁନାଥ ଜୀଉ ମହାବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ହୁଗୁଲା ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ପ୍ରଥମ ଦିନରୁ ପ୍ରବାସୀ ମାନେ ଗଣିଆ ବଜାରରେ ବୁଲି ଚା,ଜଳଖିଆ ଖାଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗତ ୧୩ ତାରିଖ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ପରେ କିଛି ଦିନ ସଚେତନ ହେବା ପରେ ଏବେ ଯଥା ପୂବଂ ତଥା ପରଂ ପରିସ୍ଥତି ଦେଖିବାକୁ ମିଳୁଛି । ସଂଗରୋଧରେ ଥିବା ପ୍ରବାସୀଙ୍କ ଆତ୍ମୀୟସ୍ୱଜନ ତାଙ୍କୁ ଦେଖା କରିବା ପାଇଁ ଭିଡ଼ ଜମାଉଥିବା ବେଳେ ଜଳଖିଆ ଠାରୁ ଆରମ୍ଭ କରି ଫିନାଇଲ ପର୍ଯ୍ୟନ୍ତ ଯୋଗାଉଛନ୍ତି । ଯାହାକି ଆଗାମୀ ଦିନରେ ସମସ୍ତଙ୍କୁ ବିପଦକୁ ଠେଲି ଦେଇପାରେ ବୋଲି ଆଲୋଚନା ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କ୍ୱାରେଣ୍ଟାଇନ ସେଣ୍ଟରରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତଥାପି ବି ଲୋକଙ୍କର ଚେତା ପଶୁନି । ମଙ୍ଗଳବାର ଗଣିଆ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ଲେଙ୍କା ଉକ୍ତ ସ୍ଥାନରେ ଗହଳି ଦେଖି ପ୍ରତିବାଦ କରିଥିଲେ । ଏପରିକି ଏହି ଘଟଣା ସଂପର୍କରେ ତହସିଲଦାରଙ୍କର ଦୃଷ୍ଟି ଆକର୍ଷଣ କରି ଉକ୍ତ ସେଣ୍ଟରକୁ ସଟ୍ଡାଉନ କରିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନାହିଁ ।






