ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୯୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରିଜର୍ଭ ପୁଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ପୁଲିସ ପକ୍ଷରୁ ପରେଡ ଅନୁଷ୍ଠିତ ହୋଇଥିବା ବେଳେ ନୟାଗଡ଼ ଏସପି ଏସ୍ ସୁଶ୍ରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ । ପବିତ୍ର ଉତ୍କଳ ଦିବସରେ ଓଡିଶା ପୁଲିସର ପ୍ରତିଷ୍ଠା କରାଯାଇଥିଲା । ଆଜିର ଦିନକୁ ଓଡିଶା ପୁଲିସ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ନୟାଗଡ଼ ପୁଲିସ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ୟ୍ୟ କ୍ରମରେ ଅନେକ ପୁଲିସ କର୍ମଚାରୀଙ୍କୁ ନୟାଗଡ଼ ଏସପି ସମ୍ବର୍ଦ୍ଧିତ କରିଥିଲେ ।

ପୁଲିସର ସମାଜ ପ୍ରତି କର୍ତ୍ତବ୍ୟ ଓ ସେବାକୁ ସଦା ସର୍ବଦା ବଜାୟ ରଖିବା ସହ କିପରି ଲୋକଙ୍କର ଆହୁରି ନିକଟତର ହେବ ଏବଂ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ସହ ସେବା ଯୋଗାଇ ଦେବା ଆମ କର୍ତ୍ତବ୍ୟ ବୋଲି ସୂଚନା ଦେଇଛନ୍ତି ନୟାଗଡ଼ ଏସପି । ଏହି ଅବସରରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଭାବେ ଏଏସଆଇ ତାରାକାନ୍ତ ପଟ୍ଟନାୟକ, ଏପିଆର ହାବିଲଦାର ପ୍ରାଣକୃଷ୍ଣ ସାହୁ, କନେଷ୍ଟବଳ ନିବେଦିତା ମିଶ୍ର, ଟ୍ରାଫିକ କନେଷ୍ଟବଳ ଚିତ୍ତରଞ୍ଜନ ପ୍ରଧାନ, କନେଷ୍ଟବଳ ସୂର୍ଯ୍ୟକାନ୍ତ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।





