ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପିଟିଏସ ପଡିଆଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସ୍ପି ଏସ୍ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ୱ ଦଳ ପ୍ୟାରେଡରେ ସାମିଲ ହୋଇଥିଲେ ।

ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ନୟାଗଡ଼ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନ ଅବିସ୍ମରଣୀୟ ବୋଲି କହିଥିଲେ । ରଘୁ- ଦିବକରଙ୍କଠାରୁ ଆରମ୍ଭ କରି କଣ୍ଡୁରୀ ପରିଡ଼ାଙ୍କ ପର୍ଯ୍ୟନ୍ତ ଅନେକ ସ୍ୱାଧିନତା ସଂଗ୍ରାମୀଙ୍କ ନାଁ ନେଇ ମୁଖ୍ୟ ଅତିଥି ନୟାଗଡ଼ ମାଟି ନମସ୍ୟ ବୋଲି କହିଥିଲେ । ଅତିଥିଙ୍କ ଦ୍ୱାରା ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା ଓ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଜିଲ୍ଲା କାରାଗାର ପରିଦର୍ଶନ କରି ମିଷ୍ଠାନ୍ନ ବଣ୍ଟନ କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ରୋଟାରୀ କ୍ଲବ ଦ୍ୱାରା ଅନୁଷ୍ଠିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ରୋଟାରୀ କ୍ଲବ ଓ ସାମ୍ବାଦିକ ଭବନ ପରିସରରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।






