ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତି
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତି ପାଳନ ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଚାରି ଦିନ ବ୍ୟାପି ଉତ୍ସବ ଓ କାର୍ଯ୍ୟକ୍ରମ ରଖା ଯାଇଥିବା ନେଇ ଆଜି ପରିଚାଳନା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୨୮ ତାରିଖରୁ ୩୧ ତାରିଖ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ୩୦ ତାରିଖ କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେବେ ବୋଲି ଜଣାପଡ଼ିଛି । ସୂଚନାନୁସାରେ, ୨୮ ତାରିଖରେ କଳସ ଶୋଭାଯାତ୍ରା ଏବଂ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୯ ତାରିଖରେ ପୂର୍ବାହ୍ନରେ ଜ୍ୟୋତି ପରିକ୍ରମା ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହି ଦିନ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ବୁଦ୍ଧିଜୀବୀମାନଙ୍କୁ ନେଇ ଆଲୋଚନା ଚକ୍ର ରହିଥିବା ବେଳେ ଅପରାହ୍ନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେବେ । ରଜତ ଜୟନ୍ତି ସ୍ମୃତି ପାଠାଗାରକୁ ମନ୍ତ୍ରୀ ଡ. ସାହୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସଂନ୍ଧ୍ୟାରେ ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସେହିଭଳି ୩୦ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ସାହିତ୍ୟିକ ମାନଙ୍କ ଦ୍ୱାରା ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଦିନ ୨ଟା ବେଳକୁ ପୂରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିବା ଜଣାପଡ଼ିଛି । ଏହି ଦିନ ଅପରାହ୍ନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିବା ବିଦ୍ୟାମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ୩୧ ତାରିଖ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ଏକ ସମ୍ମିଳନୀ ରହିଥିବା ବେଳେ ଅନୁଷ୍ଠିତ ସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯୋଗ ଦେବା ସହ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ ମହାପାତ୍ର, ସଂପାଦକ, ଶାନ୍ତନୁ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ହରେକୃଷ୍ଣ ମୁଦୁଲି, ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ପ୍ରମୂଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।