ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯୁକ୍ତ ଦୁଇ ପିଲାଙ୍କ ଅଫ୍ଲାଇନ୍ ପରୀକ୍ଷା ଆସନ୍ତା ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅନୁଷ୍ଠିତ ହେବ। ରବିବାର ମଧ୍ୟ ପରୀକ୍ଷା କରାଯିବ। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ୧୩ ହଜାର ୪୩ ଜଣ ପିଲା ଏହି ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗାଇଡ୍ଲାଇନ୍ରେ ପରୀକ୍ଷା କରାଯିବ। ପିଲାମାନେ ଦୁଇଟି ଇଲେକ୍ଟିଭ୍ ବିଷୟ ଓ ମାତୃଭାଷା ପରୀକ୍ଷା ଦେବେ। ଏହାର ଫଳ ଖୁବ୍ଶୀଘ୍ର ପ୍ରକାଶ ପାଇବ। ଚଳିତ ବର୍ଷ କରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ମୂଲ୍ୟାୟନ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଥିଲା। ଏହାର ଫଳ ଜୁଲାଇ ୩୧ରେ ପ୍ରକାଶ ପାଇଥିଲା। କିନ୍ତୁ ନିଜ ମାର୍କକୁ ନେଇ ଅନେକ ପିଲା ଅସନ୍ତୁଷ୍ଟ ଥିଲେ। ଏହାକୁ ଆଧାର କରି ସିଏଚ୍ଏସ୍ଇ ପକ୍ଷରୁ ଅଫ୍ଲାଇନ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା।





