ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପ୍ରଥମ କରୋନା ଯୋଦ୍ଧା ଜଣେ କାର୍ଯ୍ୟରତ ପୁଲିସ ଏଏସ୍ଆଇ ରବିନ୍ଦ୍ର କବି (୫୮)ଙ୍କର ବୁଧବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ପୋଲିସ ଅଧିକାରୀଙ୍କର ଘର ଦଶପଲ୍ଲା ସାତପାଟଣାସ୍ଥିତ ହାଟଗାଁ ଦନ୍ତ ମାଟିରେ ଶୋକ ଛାୟା ଖେଳିଯାଇଛି । ସେ ଚାନ୍ଦପୁର ଥାନାରେ ଚାକିରି କରିଥିଲେ । ଗତ ୧୦ଦିନ ହେବ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ ରବିନ୍ଦ୍ରଙ୍କର ଦୁଇଟି ଝିଅ ଓ ଏକମାତ୍ର ପୁଅ ଏବଂ ଧର୍ମପତ୍ନୀ ଅଛନ୍ତି । ଜଣେ ସଚ୍ଚୋଟ ପୁଲିସ ଅଫିସର ଭାବେ ଜିଲ୍ଲାରେ ତାଙ୍କର ଖୁବ୍ ଖ୍ୟାତି ଥିଲା । ଗୁରୁବାର ସନ୍ଧ୍ୟାରେ କରୋନା ଯୋଦ୍ଧା ରବିନ୍ଦ୍ରଙ୍କ ମରଶରୀର ନୟାଗଡ଼ରେ ପହଞ୍ଚିବା ପରେ ପୋଲିସ୍ ଟ୍ରେନିଂ ସ୍କୁଲ ପରିସରରେ ନୟାଗଡ଼ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ଜଣେ ମେଳାପି, ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ଜିଲ୍ଲାର ସଦରଥାନା, ଇଟାମାଟି ଥାନା ସମେତ ବିଭିନ୍ନ ଥାନାରେ ତାଙ୍କ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ । ଶବକୁ ନୟାଗଡ଼ ସହର ରତନପୁରସ୍ଥିତ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା କରାଯାଇଛି । ଯେହେତୁ କରୋନାରୋ ପ୍ରାଣ ହରାଇଛନ୍ତି ତେଣୁ ତାଙ୍କ ପରିବାର ସଦସ୍ୟମାନଙ୍କୁ ଶେଷ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ଶବକୁ ପ୍ରଶାସନ ପକ୍ଷରୁ ସଂସ୍କାର କରାଯାଇଥିଲା । ଏହି ଶୋକାକୁଳ ଖବର ସମଗ୍ର ପୁଲିସ ବିଭାଗକୁ ହତ୍ବାକ୍ କରିବା ସହିତ ଦଶପଲ୍ଲାରେ ଥିବା ଜ୍ଞାତି କୁଟୁମ୍ବଙ୍କୁ ମ୍ରିୟମାଣ କରିପକାଇଛି । ନୟାଗଡ଼ ଜିଲ୍ଲାରେ ପ୍ରଥମ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ କରୋନା ମୃତ୍ୟୁ ହୋଇଛି ।







