ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡେଜା ବଡ଼ ସମ୍ମାନ ପାଇଛନ୍ତି। ଆଜି ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗର ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ପହଞ୍ଚି ଯାଇଛନ୍ତି। ପୂର୍ବରୁ ସେ ୩ନଂ ସ୍ଥାନରେ ରହିଥିଲେ। ହେଲେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୧୭୫ ରନ ଓ ୯ଟି ୱିକେଟ ହାସଲ କରିବାରୁ ୧ନଂ ସ୍ଥାନ ଦଖଲ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛନ୍ତି। ସେହିପରି ପୂର୍ବରୁ ଦୁଇ ନମ୍ବର ସ୍ଥାନରେ ଥିବା ରବିଚନ୍ଦ୍ରନ ଅଶ୍ୱିନ ୩ନଂକୁ ଖସିଛନ୍ତି। ଜାଡେଜାଙ୍କ ପାଖରେ ୪୦୬ ପଏଣ୍ଟ ଥିବା ବେଳେ ହୋଲ୍ଡରଙ୍କ ପାଖରେ ୩୮୨ ଓ ଅଶ୍ୱିନଙ୍କ ପାଖରେ ୩୪୭ ପଏଣ୍ଟ ରହିଛି। ୪ର୍ଥରେ ଶାକିବ ଅଲ ହାସନ, ୫ମରେ ବେନ ଷ୍ଟୋକ୍ସ, ୬ଷ୍ଠରେ ମିଚେଲ ଷ୍ଟାର୍କ, ୭ମରେ କାୟେଲ ଜାମିସନ, ୮ମରେ କଲିନ ଡି ଗ୍ରାଣ୍ଡହୋମ, ୯ମରେ ପ୍ୟାଟ କମିନ୍ସ ଓ ୧୦ମରେ କ୍ରିସ ୱକ୍ସ ଅଛନ୍ତି। ବ୍ୟାଟିଂ ତାଲିକା ଦେଖିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି ବିରାଟ କୋହଲି। ବିରାଟ ୨ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ରୋହିତ ପୂର୍ବଭଳି ୬ଷ୍ଠ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ୧ ନଂସ୍ଥାନରେ ଥିବା ବେଳେ ୨ନଂରେ ଜୋ ରୁଟ, ୩ନଂରେ ଷ୍ଟିଭ ସ୍ମିଥ, ୪ ନଂରେ କେନ ୱିଲିୟମସନ, ୭ମରେ ଟ୍ରାଭିସ ହେଡ, ୮ମରେ ଦିମୁଥ କରୁଣାରତ୍ନେ, ୯ମରେ ବାବର ଆଜମ ଓ ୧୦ମରେ ଋଷଭ ପନ୍ତ ଅଛନ୍ତି।






