ନୟାଗଡ଼, (ବାଘୁଆବାର୍ତ୍ତା) : କିଛିଦିନ ହେବ ବାଘୁଆବାର୍ତ୍ତାର ଅନୁମାନ ସଠିକ ହେଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ୫ଟି ନଜରରେ ବୋଲି ସୂଚନା ଦେବା ପରେ ମଧ୍ୟ ଅଧିକାରୀମାନେ ନସୁଧୁରିବାରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଏବେ କିଛି ଦିନ ତଳେ ପୁଣିଥରେ ଜିଲ୍ଲାରେ ୧୫ରୁ ଉର୍ଦ୍ଧ ମୁଣ୍ଡ ଗଡ଼଼ିବ ବୋଲି କୁହାଯାଇଥିଲା । ସେହି ପ୍ରରିପକ୍ଷେିରେ ଆଜି ୪ ଜଣ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବନ ହୋଇଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାରେ ଅନିୟମିତା ଅଭିଯୋଗରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଚାରି ଜଣ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଭତ୍ତା ଅନିୟମିତା ପାଇଁ ନିଲମ୍ବନ କରାଯାଇଥିବା ବେଳେ ଜଣଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ପଂଚାୟତ ଭତା ହଡ଼ପ ଘଟଣାରେ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ଆଜି ପ୍ରାଥମିକ ପର୍ଯ୍ୟାୟରେ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାଳି ଆଗାମୀ ଦିନରେ ପଡ଼ିବାର ସମ୍ଭାବନା ରହିଛି । ସେହିଭଳି ନୂଆଗାଁ ବ୍ଲକରେ ଭତ୍ତା ଅନିୟମିତତା ଘଟଣାରେ ଉଦୟପୁର ପଂଚାୟତ ନିର୍ବାହୀ ଅଧିକାରୀ ଡମ୍ବୁରଧର ନାୟକ ଏବଂ ସୋରଡ଼ା ପଂଚୟତ ନିର୍ବାହୀ ଅଧିକାରୀ ପଙ୍କଜିନି ମଲ୍ଲିକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଏହି କ୍ରମରେ ଖଣ୍ଡପଡ଼ା ବ୍ଲକ ଶାଳଝରିଆ ପଂଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ନିଲମ୍ବନ କରାଯାଇଛି ।