ଭୁବନେଶ୍ବର, (ବାଘୁଆବାର୍ତ୍ତା): ପୂର୍ବକେନ୍ଦ୍ରୀୟ ଆରବସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର କର୍ଣ୍ଣାଟକ -ଗୋଆ ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସେହିପରି ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ୨୩ ତାରିଖ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ରେ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବ। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ରେ ବାତ୍ୟା ଓ ୨୭ରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୯ରେ ଗୁଜୁରାଟ ଉପକୂଳ ଛୁଇଁବ। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ କେନ୍ଦ୍ରୀୟ ପୂର୍ବ-ବଙ୍ଗୋପସାଗରରେ ଥାଇଲାଣ୍ଡ ଉପକୂଳ ନିକଟରେ ୨୭ତାରିଖରେ ଏକ ଘୂର୍ଣ୍ଣିବଳୟ ଓ ୨୮ରେ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ୨୯ରେ ଏହା ଅବପାତରେ ପରିଣତ ହେବ। ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଏହା ୨୯ କିମ୍ବା ୩୦ ବେଳକୁ ବାଂଲାଦେଶ/ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ। ତେବେ ଆଗକୁ ଏହା ଉପରେ ତୀକ୍ଷ୍ଣ ନଜର ରହିବ ବୋଲି ପ୍ରଫେସର୍ ପଶୁପାଳକ କହିଛନ୍ତି।






