ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଏକ ବେସରକାରୀ ସଂସ୍ଥା ଏଠାରେ ଏଣ୍ଟ୍ରାନ୍ସ ପରୀକ୍ଷା କରୁଥିବା ବେଳେ ଉଭୟ ଆୟୋଜକ ଏବଂ ଅଭିଭାବକଙ୍କ ମଧ୍ୟରେ ୧୦୦ ଟଙ୍କା ପାଇଁ ଯୁକ୍ତିତର୍କ ହୋଇଥିବା ବେଳେ ଶେଷ ମୂହୂର୍ତ୍ତରେ ଆୟୋଜକ ୧୦୦ ଟଙ୍କା ଫେରାଇଛନ୍ତି । ଗ୍ଲୋବାଲ ନାମକ ଏକ ବେସରକାରୀ ସଂସ୍ଥା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ନାମରେ ଡକାଇଥିଲା । କୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଅନୁଷ୍ଠାନ ମାଗଣାରେ ଶିକ୍ଷା ଦେବାର ପ୍ରରୋଚନା ଦେଇ ଏଭଳି ପରୀକ୍ଷାର ଆୟୋଜନ କରିଥିବା ବେଳେ ଆଜି ପରୀକ୍ଷା ସ୍ଥଳରେ ଫି କୁ ନେଇ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଛି । ଆସିଥିବା ଶତାଧିକ ପରୀକ୍ଷାର୍ଥୀଙ୍କମଧ୍ୟରୁ କିଛି ପରୀକ୍ଷାର୍ଥୀଙ୍କୁ ମାଗଣାରେ ପରୀକ୍ଷା କରାଉଥିବା ଏବଂ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଆଦାୟ କରିଥିବା ନେଇ ଜଣାପଡ଼ିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଆୟୋଜକ ତରବରିଆ ଭାବେ ପରୀକ୍ଷାର୍ଥୀ ତଥା ଅଭିଭାବକଙ୍କୁ ଟଙ୍କା ଫେରସ୍ତ କରିଥିବା ବେଳେ ଏଭଳି ବେସରକାରୀ ସଂସ୍ଥାକୁ କିଭଳି ବିଦ୍ୟାଳୟରେ ପରୀକ୍ଷା କରିବାକୁ ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।