ମୁମ୍ବାଇ, (ବାଘୁଆବାର୍ତ୍ତା): ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏକ ଅବାବନୀୟ ଘଟଣା । ଶିବସେନାର ବିଧାୟକ ପାଲଟିଯାଇଛନ୍ତି ଦବଙ୍ଗଗିରି ବିଧାୟକ । ଡ୍ରେନ୍ ସଫା ହୋଇନଥିବାରୁ ଠିକାଦାରକୁ ରାସ୍ତା ଉପରେ ଥିବା ଅଳିଆ ଗଦାରେ ବସାଇ ହାତରେ ଅଳିଆ ଧରାଇଥିଲେ ଦବଙ୍ଗଗିରି ବିଧାୟକ । ଯାହାର କି ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ସୂଚନାନୁସାରେ, ମୁମ୍ବାଇର ଚାନ୍ଦିଭାଲି ଅଞ୍ଚଳରେ ଡ୍ରେନ୍ ସଫା ନହେବା କାରଣରୁ ମଇଳା ପାଣି ଘରେ ଘରେ ପସୁଥିବା ନେଇ ଶିବସେନାର ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ପାଖକୁ ଅଭିଯୋଗ ଆସିଥିଲା । ଏଥିରେ ବିଧାୟକ ରାଗିଯାଇ ତାଙ୍କ କର୍ମଚାରୀଙ୍କ ସହ ଚାନ୍ଦିଭାଲି ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଧାୟକଙ୍କ ପାଖକୁ ଆସିଥିବା ।ଭିଯୋଗ ସତ୍ୟତା ଥିବା ଜଣାପଡିବା ପରେ ଠିକାଦାରକୁ ଡାକି ଅଳିଆ ଗଦା ଉପରେ ବସିବାକୁ କହିଥିଲେ ଏବଂ ତା’ପରେ ଠିକାଦାର ଉପରକୁ ଆର୍ବଜନା ପକାଇବାକୁ ଶ୍ରମିକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ଏକ ଭିଡିଓ ଭାଇରାଲ ହେଲା ପରେ ଶିବସେନା ସରକାର ଉପରେ ବର୍ଷିଛନ୍ତି ବିରୋଧି ଦଳ । ଯାହାକୁ ନେଇ ସମାଲୋଚନା କରିବା ମଧ୍ୟ ଆରମ୍ଭ କରିଛନ୍ତି ।





