ନୟାଗଡ଼, (ବାଘୁଆବାର୍ତ୍ତା) ପୂର୍ବ ଶତୃତାକୁ କେନ୍ଦ୍ରକରି ଖଣ୍ଡପଡା ଥାନା ଅଧିନ ରୟତ ଢୋଲମରା ପଞ୍ଚାୟତର ସରପଞ୍ଚ ଶୁସାନ୍ତ କୁମାର ବେହେରା(୩୩)ଙ୍କୁ ସ୍ଥାନୀୟ ଅଞ୍ଚଳର କୁଳମଣି ସ୍ୱାଇଁ ଶନିବାର ରାତି ୧୦.୪୫ରୁ ୧୧ଟା ମଧ୍ୟରେ ଅତି ଅମାନୁଷିକ ଭାବେ ଗାଁ ଦାଣ୍ଡରେ ହତ୍ୟା କରିଥିବା ନେଇ ମୃତ ସରପଞ୍ଚଙ୍କ ପତ୍ନୀ ଟିକିନା ବେହେରା ରବିବାର ଦିନ ଖଣ୍ଡପଡା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଗଣିଆ ପୋଲିସ ଦଶପଲ୍ଲା ଅଞ୍ଚଳରୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁଳମଣିକୁ ଗିରଫ କରି ଖଣ୍ଡପଡା ପୋଲିସକୁ ହସ୍ତାନ୍ତର କରିଛି । ଘଟଣାରୁ ପ୍ରକାଶ ମୃତ ସରପଂଚ ଶୁସାନ୍ତଙ୍କ ସହ ଘଟଣାର ମୁଖ୍ୟ ଅଭିଯୁକ୍ତ କୁଳମଣିଙ୍କର ଦିର୍ଘ ମାସ ଧରି ଶତୃତା ଲାଗି ରହିଥିଲା । ଶନିବାର ରାତିରେ ଢୋଲମରା ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା କ୍ୱାରେଟାଂଇନ କେନ୍ଦ୍ର କାର୍ଯ୍ୟ ତଦାରଖ କରି ଶୁସାନ୍ତ ଘରକୁ ଫେରୁଥିବା ବେଳେ ଯୋଜନାବଦ୍ଧ ଭାବେ ଗାଁ ଦାଣ୍ଡରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କୁଳମଣି କେତେକ ସହଯୋଗୀଙ୍କ ସହ ହଠାତ୍ ଶୁସାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ତଳେ ଖସି ପଡିଥିଲେ । ଶୁସାନ୍ତଙ୍କ ମୁଣ୍ଡ, ଦେହ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ବିଳମ୍ବିତ ରାତିର ସୁଯୋଗ ନେଇ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଶୁସାନ୍ତଙ୍କୁ ଉଦ୍ଧାର କରି ଆଶୁ ଚିକିତ୍ସା ନିମନ୍ତେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରିଥିଲେ । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କ ସୁତ୍ରରୁ ପ୍ରକାଶ । ଏହି ହତ୍ୟାକାଣ୍ଡ ଘଟଣା ପଛରେ କୁଳମଣିଙ୍କ ସମେତ କେତେକ ସହଯୋଗୀଙ୍କ ହାତଥିବା ସାଧାରଣରେ ଅଭିଯୋଗ ହେଉଛି । ନୟାଗଡ ଏସପି ଘଟଣାରେ ହସ୍ତକ୍ଷେପ କରିବାକୁ ମୃତ ସରପଂଚଙ୍କ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।






