ନୟାଗଡ଼, (ବାଘୁଆବାର୍ତ୍ତା): କୈାଣସି ସୁତ୍ରରୁ ଖବରପାଇ ଖଣ୍ଡପଡା ବନାଚଂଳ ଅଧିକାରୀ ଶ୍ରୀଧର ପଣ୍ଡା ସଦଳବଳେ ଖଣ୍ଡପଡା ବ୍ଳକ ଅଧିନ ଗୁଣ୍ଠୁଣି ପଂଚାୟତର ଅଁଳାମଡା ଗ୍ରାମରେ ଅଚାନକ ଚଢାଉ କରି ହରିଣ ମାଂସ ବିକ୍ରୀ କରୁଥିବା ଶିକାରୀ ସୂର୍ଯ୍ୟମଣି ଦାସ(୪୭)କୁ ଗିରଫ କରିଥିବା ଜଣାଯାଇଛି । ଶିକାରୀ ସୂର୍ଯ୍ୟମଣିଙ୍କଠାରୁ ବନବିଭାଗ କର୍ମର୍ଚାରୀମାନେ ୧୦ କେଜି ହରିଣ ମାଂସ ଓ ସେ ବ୍ୟବହାର କରୁଥିବା ଏକ ନାଲି ରଙ୍ଗର ଟିଭିଏସ ବାଇକକୁ ଜବତ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ମଙ୍ଗଳବାର ରାତିରେ ଶରଣକୂଳ ବନାଚଂଳ ଅଧିନ ସାକେରୀ ସଂରକ୍ଷିତ ଜଙ୍ଗଲରୁ ସଂପୃକ୍ତ ଶିକାରୀ ଜଣକ ଏକ ହରିଣ ଶିକାର କରିବା ପରେ ବୁଧବାର ସକାଳ ୭ଟା ସମୟରେ ଅଁଳାମଡା ଛକ ନିକଟରେ ମାଂସ ବିକ୍ରୀ କରୁଥିଲା । ହରିଣ ମାଂସ କେଜିପ୍ରତି ୫୦୦ଟଙ୍କା ଦରରେ ବିକ୍ରୀ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଖଣ୍ଡପଡା ବନବିଭାଗ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଶିକାରୀକୁ ଗିରଫ କରିଥିଲେ । ବିଭାଗ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇ ଶିକାରୀକୁ କୋର୍ଟ ଚାଲାଣ କରାଯାଇଥିଲା । ମାତ୍ର କୋର୍ଟରେ ଜାମିନ ନାମାଜୁଂରୁ ହେବାରୁ ତାକୁ ଖଣ୍ଡପଡା ସବଜେଲକୁ ପଠାଇ ଦିଆଯାଇଛି । ଜବତ ହରିଣ ମାଂସକୁ ବନବିଭାଗ କର୍ମଚାରୀମାନେ ପୋତି ଦେଇଥିବା ବେଳେ ମାଂସ ନମୁନା ପରୀକ୍ଷା ନିମନ୍ତେ ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟକୁ ପଠାଯାଇଥିବା ବନାଚଂଳ ଅଧିକାରୀ ଶ୍ରୀ ପଣ୍ଡାଙ୍କଠାରୁ ପ୍ରକାଶ । ଚଢାଉ ଅଭିଯାନରେ ବନପାଳ ଶ୍ରୀନିବାସ ଦାଶ, ଶ୍ରୀନିବାସ ମହାପାତ୍ର, ସସ୍ମିତା ସେଠୀ ଓ ସନାତନ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଘଟଣାର ତଦନ୍ତ ଦାୟିତ୍ୱ ନୟାଗଡ ଏସିଏଫ୍ ଅରବିନ୍ଦ ମହାନ୍ତିଙ୍କ ଉପରେ ନ୍ୟସ୍ତ କରାଯାଇଥିବା ବିଭାଗୀୟ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ସଂରକ୍ଷିତ ଜଙ୍ଗଲରୁ ନିୟମିତ ଭାବେ ବନ୍ୟ ଜନ୍ତୁ ଶିକାର କରି ସାଧାରଣରେ ମାଂସ ବିକ୍ରୀ କରୁଥିବା ନେଇ ସୂର୍ଯ୍ୟମଣି ତଦନ୍ତ ବେଳେ ବନ ବିଭାଗ କର୍ତୃପକ୍ଷଙ୍କୁ ସୂଚନା ଦେଇଛି ।






