ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଲେ
ନୟାଗଡ଼, (ବାଘୁଆବାର୍ତ୍ତା) : ମନମୁତାବକ ଡ୍ରେସ, ଜୋତା, ଚପଲ, ବ୍ୟାଗ, ପଢ଼ିବା ସରଂଜାମ କିଣିବା, ଦୋକାନୀ ମାନଙ୍କ ସହିତ କିପିରି କଥାବାର୍ତ୍ତା କରିବା, ବଜାରରୁ କିପରି ଜିନିଷ କିଣାଯାଏ ତାହା ଜାଣିବା, ଜନ ସାଧାରଣଙ୍କ ସହ ଯୋଡ଼ି ହେବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ଯତ୍ନ ସୁରକ୍ଷା ଗ୍ରହଣ କରୁଥିବା ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ କର୍ମକତ୍ତାଙ୍କ ସହ ବଜାରକୁ ଛାଡ଼ିଥିଲେ । ସେମାନେ ନିଜ ପସନ୍ଦର ବିଭିନ୍ନ ସାମଗ୍ରୀ କିଣି ଖୁସି ଜାହିର କରିଛନ୍ତି । ଏପରି ଘଟଣା ଆଜି ନୟାଗଡ଼ କଚେରୀ ବଜାର ‘ଅଳକା’ ଦୋକାନରେ ଦେଖିବାକୁ ମିଳିଥିଲା । ନୟାଗଡ଼ କଳା ପରିଷଦ, ଗଣିଆ ଉନ୍ନୟନ କମିଟିର ତପସ୍ୟା ଓ ପୋଷ୍ୟ ସନ୍ତାନ କେନ୍ଦ୍ର ସଂସଦ ଅନୁଷ୍ଠାନର ୨୫ ଜଣ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗ ମିଳିଛି । ଏଥିପ୍ରତି ଛାତ୍ରଛାତ୍ରୀମାନଙ୍କ ମୁହଁରେ ହସ ଫୁଟିଛି । ନିଜକୁ ଏକାକୀ ତଥା ନିସଙ୍ଗ ନଭାବି ସମାଜର ମୁଖ୍ୟ ସୋତ୍ରରେ ଖାପଖୁଆଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇ ନୟାଗଡ଼ ଜିଲ୍ଲାପାଳଙ୍କ ମହନୀୟତା ଲୋକଲୋଚନକୁ ଆସିଛି । ଆସନ୍ତା ଶିଶୁ ଦିବସରେ ଛାତ୍ରଛାତ୍ରୀମାନେ ଆଜି କିଣିଥିବା ବ୍ୟବହାର୍ଯ୍ୟ ଦ୍ରବ୍ୟକୁ ବ୍ୟବହାର କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ନିଆରା ପଦକ୍ଷେପ ନେଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜିଲ୍ଲାପାଳ ।





