ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତ ଉପର ହଦପଶି ଗ୍ରାମରେ ଗତ ଶନିବାର ଗୋଷ୍ଠୀ ସଂଘର୍ଷ ଦଣ୍ଡଧର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଚରଣ ବେହେରା ଓ ତାର ଦୁଇ ସହଯୋଗୀ ନାରଣ ବେହେରା ଓ ମମତା ବେହେରାଙ୍କୁ ଗତକାଲି ନୟାଗଡ଼ ଚିକିତ୍ସାଳୟରୁ ଗିରଫ କରାଯିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଗଦା ବେହେରାଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ମୃତ ଦଣ୍ଡଧରଙ୍କ ପରିବାର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀ ମାଳା ମହାନ୍ତି ଗତକାଲି ଏସପିଙ୍କୁ ଭେଟି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁବ୍ ଶିଘ୍ର ଗିରଫ କରିବାକୁ ଦାବୀ କରିଥିଲେ । ଗିରଫ ଅଭିଯୁକ୍ତ ୩ ଜଣ ଶନିବାର ଠାରୁ ନୟାଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ଗଣିଆ ପୋଲିସ ସେମାନଙ୍କୁ ଗିରଫ କରି ପାରିନଥିଲା । ତେବେ ଗତକାଲି ସଂଧ୍ୟ୍ୟାରେ ଅଭିଯୁକ୍ତମାନେ ଡାକ୍ତରଖାନାରୁ ଡିସଚାର୍ଯ ହେବା ପରେ ଗଣିଆ ସବ୍ଇନିସପେକ୍ଟର ଶ୍ରଦ୍ଧା ନାୟକ,ଏଏସ୍ଆଇ ବାଳକୃଷ୍ନ ଦାସ ପହଞ୍ଚି ସେମାନଙ୍କୁ ଗିରଫ କରି ଗଣିଆ ଥାନାକୁ ଆଣି ପଚରାଉଚରା କରିଥିଲେ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଚରଣ ବେହେରା ଦଣ୍ଡଧର ବେହେରାଙ୍କୁ ଏକ ଲୁହା ଛଡ଼ରେ ମାରିଥିବା ସ୍ୱୀକାର କରିଥିବା ବେଳେ ତାକୁ ନାରଣ ବେହେରା ଓ ମମତା ବେହେରା ସାହାର୍ଯ୍ୟ କରିଥିଲେ ବୋଲି ସେ ଗଣିଆ ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲା । ପୂର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଗଲା ବୋଲି ମଧ୍ୟ ଚରଣ ପ୍ରକାଶ କରିଥିଲା । ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରାଯାଇଥିବା ଆଜି କୋର୍ଟ ଚାଲାଣ କରାଯାଇଥିବା ଏସ.ଆଇ ଶ୍ରଦ୍ଧା ନାୟକ ପ୍ରକାଶ କରିଛନ୍ତି ।






