କେନ୍ଦୁଝର, (ବାଘୁଆବାର୍ତ୍ତା): ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଜାତିଗତ ବିଭେଦ ଥିଲେ ବି ଭଲପାଇ ବିବାହ କରିବା ପୂର୍ବକ ସଚ୍ଚା ପ୍ରେମର ବାର୍ତ୍ତା ଦେଇଛନ୍ତି ଏକ ଭିନ୍ନକ୍ଷମ (ମୂକ) ପ୍ରେମିକ, ପ୍ରେମିକା ଯୋଡ଼ି ଖଇର ଓ ଇତିହାସ । ବୁଧବାର ଖୁବ୍ ଆଡ଼ମ୍ବରରେ ବିବାହ କରିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ଡାକ୍ତର ମହାନ୍ତଙ୍କ ସୁପୁତ୍ରୀ ଖଇର ଏବଂ ମୟୂରଭଞ୍ଜ ଜିଲ୍ଲା ଫୁଲକମ୍ପା ଗ୍ରାମର ବିଶ୍ୱାମିତ୍ର ନାୟକଙ୍କ ବଡ଼ପୁଅ ଇତିହାସ । ୩ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କେନ୍ଦୁଝରସ୍ଥିତ ମୂକ ବଧିର ସ୍କୁଲରେ ପଢୁଥିଲେ ଖଇର ଏବଂ ଇତିହାସ । ଖଇର କୁଡୁମି ଜାତିର କନ୍ୟା ହୋଇଥିବାବେଳେ ଇତିହାସ ହେଉଛନ୍ତି ଗଣ୍ଡ ଜାତିର । ଖଇର ତଳ କ୍ଲାସରେ ଏବଂ ଇତିହାସ ଉପର କ୍ଲାସ୍ରେ ପଢୁଥିବାବେଳେ ଇତିହାସଙ୍କ ସାନ ଭଉଣୀ ଖଇରର କ୍ଲାସମେଟ୍ ଥିଲେ । ସେବେଠାରୁ ଉଭୟ ପରିଚିତ ହୋଇଥିଲେ । ଖଇର କେନ୍ଦୁଝରରେ ପାଠପଢ଼ା ସାରି ଘରେ ରହିଲେ ଏବଂ ଇତିହାସ ଯୁକ୍ତ ୩ ପଢ଼ିବା ପରେ ଚେନ୍ନାଇସ୍ଥିତ ମାର୍ବଲ କମ୍ପାନୀରେ କାମ କଲେ । କ୍ରମେ ହ୍ୱାଟସ୍ପଆପ ଭିଡିଓ କଲିଂରେ ଠାର ମାଧ୍ୟମରେ ଭାବ ଆଦାନପ୍ରଦାନ ପୂର୍ବକ ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘ ୩ ବର୍ଷରୁ ଅଧିକ ଦିନ ଧରି ଉଭୟଙ୍କ ମଧ୍ୟରେ ଭିଡିଓ କଲିଂ ମାଧ୍ୟମରେ ଠାରରେ କଥାବାର୍ତ୍ତା ଜାରି ରହିଥିଲା । ଖଇରର ବିବାହ ପ୍ରସ୍ତାବ ଆସିବା ପରେ ସେ ପରିବାର ଲୋକଙ୍କୁ ମନା କରିଥିଲେ ଏବଂ ମୋବାଇଲରେ ଇତିହାସଙ୍କ ଫଟୋ ଦେଖାଇ ତାଙ୍କ ସହ ବିବାହ କରିବେ ବୋଲି ସୂଚନା ଦେଇଥିଲେ । ଖଇରଙ୍କ ପରିବାର ଲୋକେ ବିବାହ କରେଇବା ନିମନ୍ତେ ପ୍ରସ୍ତାବ ଖୋଜୁଥିବା ଜାଣି ଇତିହାସ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଖଇର ଘରକୁ ପଠାଇଥିଲେ । ଦୁଇ ମୂକ ସନ୍ତାନଙ୍କ ଇଚ୍ଛାକୁ ଉଭୟ ପରିବାର ସ୍ୱୀକୃତି ଦେଇଥିଲେ । ଅଲଗା ଅଲଗା ଜାତିର ହୋଇଥିଲେ ମଧ୍ୟ ଉଭୟଙ୍କୁ ବିବାହ କରେଇବାକୁ ନିଷ୍ପତ୍ତି ନେଇ ବିବାହ ପ୍ରକ୍ରିୟା ଆରମ୍ଭ କରିଥିଲେ । ବୁଧବାର ଇତିହାସ ବାଜା, ବାଣ ରୋସଣି ସହ ବରଯାତ୍ରୀ ନେଇ ଭଗାମୁଣ୍ଡା ଗ୍ରାମରେ ପହଞ୍ଚିବା ପରେ ଖଇରଙ୍କ ପରିବାରବର୍ଗ ପାଛୋଟି ଆଣିଥିଲେ । ମହାନ୍ତ ସମ୍ପ୍ରଦାୟର ରୀତିନୀତି ଆଧାରରେ ପ୍ରଥମେ ମହୁଲ ଗଛ ସହ କନ୍ୟାର ବିବାହ ସମ୍ପନ୍ନ ହୋଇଥିଲା । ଏହାକୁ ମହୁଲ ବାହା ବୋଲି କୁହାଯାଇଥାଏ । ପରେ ବୈଦିକ ରୀତିରେ ବେଦୀ ଉପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସାହି ପଡ଼ିଶା ଏବଂ ଆଖପାଖ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବର, କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଉଭୟଙ୍କ ସୁଖମୟ ବୈବାହିକ ଜୀବନ କାମନା କରିଛନ୍ତି ଗ୍ରାମବାସୀ ।






