କୁଆଁ ଛୁଆର ଅତୀତ ହଜିଯିବାକୁ ବସିଲାଣି—
ବିତିଥିବା ଶୈଶବର – ସରଳପଣିଆ, ବୁଝୁନଥିବା ଅମାନିଆ ମନ – ହିସାବ କରୁନଥିଲା କେତେ ପାଇଲା – କେତେ ହାରିଲା- ତା’ ଅଭିଧାନରେ ନଥିଲା- ସଂପର୍କ ଗଢ଼ା ହୁଏ – ଭଙ୍ଗାହୁଏ ବା ତୁଟି ଯାଏ ।
ତା’ ଶୈଳୀରେ ନଥିଲା – ମାର୍ଜ୍ଜିତ, ପରିମାର୍ଜ୍ଜିତର କାଇଦା ସହିତ ବାହାର ଯେତେ ସଫା – ଭିତର ତା’ଠାରୁ ଢେର ଆବର୍ଜ୍ଜନାମୟ । ଯାହା ତା’କୁ ଆଜି ଆନ୍ଦୋଳିତ କରୁଛି – ତାହା ହେଉଛି ସତ କହିବ ନା ମିଛ କହି ଆଉ ମିଛ ଶୁଣି – ସେ ସବୁକୁ ଦେହସୁହାକରି ଲଗାମଛଡ଼ା ବିବେକ ବିହୀନ ଜୀବନ ଜିଇବାକୁ ଆପଣେଇ ନେବା —?
ସିଏ ଦେଖୁଛି- ଯିଏ ସବୁଠୁ ବେଶୀ ଚିଲଉଛି – ସିଧା ସିଧା ମୁହେଁ ମୁହେଁ କହି ଦେଉଛି ବୋଲି ବଖାଣୁଛି – ସିଏ ତ ବଶେୀ ମିଛର ସାହାର ନେଉଛି- । ‘ସତ’ ତାଙ୍କମାନଙ୍କର ସଉକ – ‘ମିଛ’ ଅସ୍ଥି ମଜ୍ଜାଗତ ।
ଅନେକ ଲୋକ ମିଛକୁ ସତ ମନେକରି କୁହନ୍ତି ଏବଂ ଭାବନ୍ତି ଏଇହିଁ ସତ । ଏହାହିଁ ତ ଅଭ୍ୟାସ – ଯାହା ଅସ୍ଥି ମଜ୍ଜାଗତ ହୋଇଯାଏ କାଳକ୍ରମେ- ।
ମିଛର ସାହାରା ନେଲେ – ଉତ୍ଥାନ ।
ସତକୁ ଭରସା କଲେ କ’ଣ ଅଧୋପତନ?
ସତ କହିବାପାଇଁ ଛାତି ତଳର କଲିଜା ଶକ୍ତ ହେବା ଦରକାର । ତା’ ବାପା ଅଜା ଅମଳରୁ – ଶିଖା ହୋଇଥିବା, ଗଡ଼ି ଆସୁଥିବା ପ୍ରଥାରେ ଅଛି – ସତ କହିବା — ।
ସିଏ ତ କୁହେ —– ।
କିନ୍ତୁ ଏବେ ଏବେ ବୁଝୁଛି – ସତ କହିବା ଅପେକ୍ଷା ସତ ଶୁଣିବାବାଲାର ଛାତି ଶକ୍ତ ହେବା ଆବଶ୍ୟକ – ଛାତିତଳର କଲିଜା ତା’ଠାରୁ ଆହୁରି ଅଧିକ ଟାଣ ହେବା ଦରକାର ।
କାରଣ ସିଏ ତ ସତ କୁହେ – । ତା’ ଦୁନିଆ ଅପେକ୍ଷା ଏ ଦୁନିଆର ଲୋକମାନେ ତା’ର ଏଇ ସତକୁ କେମିତି ଅଲଗା ପଣରେ ଦେଖନ୍ତି – ଏଡ଼େଇ ବି ଦିଅନ୍ତି, କ୍ଷତି ବି ପହଞ୍ଚେଇବାକୁ ବ୍ୟୁହ ରଚନା କରନ୍ତି – କେତେ କ’ଣ ପାଞ୍ଚନ୍ତି – ।
ସତ ସମସ୍ତେ କହିପାରିବେ – ଏପରି କି ଅନବରତ ମିଛ କହୁଥିବା ବ୍ୟକ୍ତି ମଧ୍ୟ – ସମୟ ସମୟରେ ନିଚ୍ଛକ ସତ୍ୟ କହିପାରେ – । କିନ୍ତୁ ନିଚ୍ଛକ, ସରଳ ସତ୍ୟକୁ ଗ୍ରହଣ କରିବାରେ ସାମର୍ଥ ନରଖିପାରେ – – – । ଅନ୍ୟକୁ ନିଚା ଦେଖେଇବାକୁ – ବାହାସ୍ପୋଟର ସତ୍ୟ ଉଗାଳିପାରେ – । କିନ୍ତୁ ଗ୍ରହଣୀୟତାରେ – ଗ୍ରହଣ ଲାଗିଯାଏ – । ଯାହା ଅନ୍ୟପାଇଁ ଉଦ୍ଦିଷ୍ଟ – ପ୍ରଯୁଯ୍ୟ ବୋଲି ବିବେଚନା କରେ – ନିଜପାଇଁ କୁଣ୍ଠାବୋଧ କରେ – ।
ସିଏ ଦେଖୁଛି – ଏ ଦୁନିଆରେ – ଯିଏ ମିଛର ସାହାରା ନେଇ – ପ୍ରଭାବୀ ଉପସ୍ଥାପନା କରିପାରୁଛି ନିଜର ସ୍ୱାର୍ଥପାଇଁ ତା’ର ଆଦୃତି ବେଶ ଭଲ । ତେବେ ସିଏ କାହିଁକି ସତକୁ ପବିତ୍ରତା ଓ ମିଛକୁ ପାପ ବୋଲି ବିଚାର କରି – ଅନେକ ସମୟରେ ଲା’ିତ ହେଉଛି ?
ଦ୍ୱନ୍ଦରେ ପଡ଼ିଛି – ।
ସତ୍ୟର କଠିନ ରାସ୍ତାରେ ଅଜସ୍ର ଦୁଖଃ ଅଛି –
ମିଛର ମସୃଣ ରାସ୍ତାରେ- ବିଳାସ ବ୍ୟସନର ସମ୍ଭାର ଅଛି – – – ।
ସ୍ଥିର ଚେତନା – ଅସ୍ଥିରତା ପାହାର ଖାଉଛି ।
ତା’ର ମନେ ପଡ଼ିଲା – କେହି ଜଣେ କହୁଥିଲେ ମିଛର ଗୋଡ଼ ନଥାଏ ।
କ୍ଷୀପ୍ର ଗତିରେ ଆସେ ଖଣ୍ଡିଆଭୂତ ଭଳିଆ ପ୍ରଭାବ ଜମାଏ – ଅନେକ କମାଏ । ସାମୟିକ ଲାଭ କରେ ସେଇମାନଙ୍କର – । ସତମାନେ କଷ୍ଟ ପାଆନ୍ତି – ବିଚଳିତ ହୁଅନ୍ତି । ବେଳେବେଳେ ଅନିଚ୍ଛା ସତ୍ତେ୍ୱ ଇଚ୍ଛା କରନ୍ତି – ଭଲ ରାସ୍ତା ତ; ଅର୍ଥ, ଯଶ, ପ୍ରତିଷ୍ଠା ଓ କେତେ କ’ଣ ପାଇବାର – ।
କିନ୍ତୁ ସତ ଧୀର ପଦରେ ଆସେ – ଦୁଃଖ, ସୁଖ, କଷ୍ଟ, ଯନ୍ତଣାକୁ ତଉଲି ତଉଲି ସବୁକୁ ମାଜିମୁଜି ମାଠିମୁଠି ପକ୍କା କରେ – ଡେରିରେ ହେଲେ ମଧ୍ୟ ପ୍ରତିଷ୍ଠିତ ହୁଏ ।
ଟଣାଟଣି ଶିରା ସବୁ ଫୁଲି ଉଠିଲା, ମନକୁ ଅବିଚଳିତ ଭାବରେ ଶାନ୍ତ ରଖିଲା, – ସାମୟିକ ସୁଖ ଆଉ ପ୍ରତିଷ୍ଠା ଓ ‘ମୋହ’ର ପ୍ରଭାବରୁ ନିଜକୁ ମୁକ୍ତ କଲା । ମିଛ ଚକ୍ଚକିଆ ରାସ୍ତାରୁ ପାଦ ହଟେଇ ଆଣି – ସତ ବୁନିଆଦିରେ ସବୁ ଦିନିଆ ରାସ୍ତାକୁ ପାଦ ଫେରେଇଲା – – – – – ।
“୨୦୨୦” ନୂଆ ବରଷକୁ – – – – – – ।
-ଅରୁଣ
ବିଧାୟକ, ନୟାଗଡ଼
ମନ୍ତ୍ରୀ, ଓଡ଼ିଶା