ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ସହରର ଜଣେ ମହିଳାଙ୍କ ସାହାସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଗତକାଲି ସନ୍ଧ୍ୟା ୭ଘଟିକା ସମୟରେ ନୟାଗଡ଼ ଶିବାଜୀ ନଗରର ମନୋରଞ୍ଜନ ସାହୁ ଓ ତାଙ୍କ ମାଇଁ ସୁଜାତା ସାହୁ ଓଡ଼ଗାଁରୁ ନୟାଗଡ଼ ଫେରୁଥିବା ବେଳେ ଦୁଇ ଲୁଟେରାଙ୍କ ହାବୁଡରେ ପଡିଥିଲେ । ଓଡ଼ଗାଁରୁ ନୟାଗଡ଼ ବାଇକ୍ରେ ଫେରୁଥିବା ବେଳେ ଲେଙ୍କୁଡିପଡ଼ା ନିକଟସ୍ଥ ବେଲବଣି ନିକଟରେ ଦୁଇଜଣ ଲୁଟେରା ତାଙ୍କ ପିଛା କରି ପଛରେ ବସିଥିବା ସୁଜାତାଙ୍କ ଭେନିଟ୍ ବ୍ୟାଗ୍କୁ ଲୁଟ୍ କରିଥିଲେ । ମହିଳା ଜଣକ ତାଙ୍କ ସାହସିକତା ଦେଖାଇ ଦୁଇ ଲୁଟେରାଙ୍କ ସହିତ ବହୁସମୟ ଧରି ଟଣାଓଟରା କରିଥିଲେ । ଉକ୍ତ ଭେନିଟ୍ରେ ପାଞ୍ଚହଜାର ଟଙ୍କା ଓ କିଛି ସୁନା ଅଳଙ୍କାର ଥିଲା । ଘଟଣା କିଛିସମୟ ଘଟି ଚାଲିଥିଲା ବେଳେ ହଠାତ୍ ଗ୍ରାମବାସୀ ଓ ପିସିଆର୍ ଭ୍ୟାନ୍ ପହଞ୍ଚିଯାଇଥିଲା । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ମନୋରଞ୍ଜନ ସାହୁଙ୍କ ଏତଲା କ୍ରମେ ଦୁଇ ଲୁଟେରା ସିନ୍ଦୁରିଆ ଗ୍ରାମ କଲୋନୀ ସାହିର ସୁରେଶ ଦଳେଇ(୨୦), ପିତା ଗୋପାଳ ଦଳେଇ, ସେହିପରି ଭାବେ ରାଜେନ୍ଦ୍ର ଦଳେଇ (୨୦) ପିତା ବାଦଲ ଦଳେଇଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୋଗକାରୀଙ୍କ ଏତଲାକ୍ରମେ ପୋଲିସ କେସ୍ ନଂ ୫୮/୨୦ରେ ଏକ ମାମଲା ରୁଜୁ କରି ଜାମିନ ନାମଞ୍ଜୁ ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।






