ନୟାଗଡ଼, (ବାଘୁଆବାର୍ତ୍ତା) : ପ୍ରତିବର୍ଷ ମକାଚାଷୀମାନେ ଚାଷକୁ ବିଭିନ୍ନ ରୋଗ ପୋକରୁ ରକ୍ଷା କରିନପାରି ଅନେକ କ୍ଷତି ସହୁଥିଲେ । ଏବର୍ଷ କୃଷି ବିଭାଗର ବଡ଼ ଏବଂ ଆଗୁଆ ପଦକ୍ଷେପ ଲାଗି ଚାଷୀମାନେ କ୍ଷତିରୁ ବଂଚି ଯାଇଛନ୍ତି । ମକାଚାଷ ପାଇଁ ଘାତକ ସାଜୁଥିବା ଫଲ୍ ଆର୍ମିୱର୍ମ ଜୀବାଣୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ସଫଳ ହୋଇଛି । ଏବର୍ଷ ୨.୪୦ ଲକ୍ଷ ହେକ୍ଟର ଜମିରେ ମକାଚାଷ ହୋଇଛି । ଜୁନ୍ ମାସ ୨୪ ତାରିଖରେ କୃଷି ଭବନଠାରେ ଆଫ୍ରିକାରେ ବ୍ୟାପକ କ୍ଷତି ପହଂଚାଉଥିବା ଫଲ୍ ଆର୍ମିୱର୍ମର ପ୍ରତିହତ ପାଇଁ ବିଭାଗୀୟ ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହ ବ୍ୟାପକ ବିଚାର ବିମର୍ଶ କରିଥିଲେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ କରାଯାଇ ମକାଚାଷ ଅଂଚଳ ଗୁଡ଼ିକରେ ବ୍ୟାପକ ସର୍ଭେ ଓ ସଚେତନତା କରାଯାଇଥିଲା । ବିଭାଗର ଚାରା ସୁରକ୍ଷା ଅଧିକାରୀ ଓୟୁଏଟି ପ୍ରଫେସର ଜାତୀୟ ଧାନ ଗବେଷଣା କେନ୍ଦ୍ର ବିଶେଷଜ୍ଞ ଏବଂ ସିଆଇପିଏମ୍ସିର ସାମିଲ ହୋଇଥିଲେ । ଉକ୍ତ ଟିମ୍ ଚାଷୀଙ୍କ ଇଲାକା ବୁଲିଲା ବେଳେ ଫଲ୍ ଆର୍ମିୱର୍ମର ପ୍ରାରମ୍ଭିକ ଆକ୍ରମଣ ଦେଖିବାକୁ ପାଇଥିଲେ । ଏହି ଜୀବାଣୁ ସେତେବେଳକୁ ମକାଚାଷକୁ ସାମାନ୍ୟ କ୍ଷତି ପହଂଚାଇ ସାରିଥିଲା । ମାତ୍ର ଚାଷୀମାନେ ଏହା ଉପରେ ସଂମ୍ପୁଣ୍ଣ ଅବଜ୍ଞ ଥିଲେ । କୃଷି ବିଭାଗ ପକ୍ଷରୁ ତତ୍କ୍ଷଣାତ୍ ବ୍ୟାପକ ସଚେତନତା କରାଯାଇ ପ୍ରତିଶେଧକ ବ୍ୟବସ୍ଥା କରାଯାଇଥିଲା । ଯାହା ଦ୍ୱାରା କି ମକାଚାଷୀମାନେ ଚାଷକୁ ରୋଗପୋକ ଦାଉରୁ ରକ୍ଷା କରି ପାରିଥିଲେ ।





