ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କା ଦେଇଛି ଯାତ୍ରୀବାହୀ ଜୋସି ବସ୍ । ଉକ୍ତ ଦୁର୍ଘଟଣାରେ ଶାଶୁ ଓ ଜ୍ବାଇଁ ଗୁରୁତର ଆହତ ହୋଇଥିବା ବେଳେ ବସ୍ ସହ ଡ୍ରାଇଭରକୁ ଥାନା ରେ ଅଟକ ରଖିଛି ପୁଲିସ୍ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ନୟାଗଡ଼ ହାଟପଦାର ସୁପ୍ରଭା ମାଝୀ (୪୦) ତାଙ୍କ ଜ୍ବାଇଁ ମାନସ ରଞ୍ଜନ ନାୟକ (୨୫)ଙ୍କ ସହ ନୟାଗଡ଼ ନିକଟସ୍ଥ ଶାଶୁଙ୍କ ସହିତ ଭାଟସାହି ଯାଉଥିଲା ଏହି ସମୟରେ ଯାତ୍ରୀବାହୀ ଜୋସି ବସ୍ ଉଭୟଙ୍କୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧକ୍କା ଦେଇଥିଲା । ଉଭୟ ଶାଶୁ ଜ୍ବାଇଁ ବାଇକରୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଟାଉନଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ବାଇକ୍ ଓ ବସ ଜବତ କରିବା ସହ ବସ୍ ଡ୍ରାଇଭର କୁ ଥାନାରେ ଅଟକ ରଖିଛି । ମାନସ ରଞ୍ଜନ ଙ୍କ ଘର ଓଡ଼ଗାଁ ନବରତ୍ନପୁର ଗ୍ରାମରେ ବୋଲି ଜଣାପଡିଛି । ସେପଟେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ପ୍ରକାଶ କରିଛନ୍ତି । ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଉଭୟ ଶାଶୁ ଓ ଜ୍ୱାଇଁ ଚିକିତ୍ସିତ ହେଉଥିବା ବେଳେ ଜ୍ୱାଇଁ ମାନସ ରଞ୍ଜନ ନାୟକଙ୍କ ମୃତ୍ୟୁ ଘଟିଛି । ପୁଲିସ ଉପସ୍ଥିତିରେ ବ୍ୟବଛେଦ ଚାଲିଛି ।






