ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଣିକି ଅବାଞ୍ଛିତ ଗର୍ଭଧାରଣରୁ ବର୍ତ୍ତିବାକୁ ବାରମ୍ବାର ଗର୍ଭନିରୋଧକ ବ୍ୟବହାର କରିବାକୁ ପଡ଼ିବନାହିଁ । ଗୋଟିଏ କ୍ୟାପସୁଲ ୩ ବର୍ଷ ଧରି ଗର୍ଭଧାରଣ ଚିନ୍ତାରୁ ମୁକ୍ତି ଦେବ । ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବାକୁ ଯାଉଛି ‘ସବ୍ଡ୍ରମାଲ୍ ସିଙ୍ଗଲ୍ ରଡ୍ କଣ୍ଟ୍ରାସେପ୍ଟିଭ୍ ଇମ୍ପ୍ଲାଣ୍ଟ’ ପଦ୍ଧତି । ତେବେ ଏହି କ୍ୟାପସୁଲକୁ ଖାଇବାକୁ ପଡ଼ିବ ନାହିଁ । ମହିଳାଙ୍କ ବାହୁ ତଳେ ଚର୍ମ ଭିତରେ ଏହାକୁ ରୋପଣ କରିଦିଆଯିବ । ଆଉ ଏଥିରୁ ନିର୍ଗତ ହର୍ମୋନ ମହିଳାଙ୍କ ଅବାଞ୍ଛିତ ଗର୍ଭଧାରଣକୁ ରୋକିବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ‘ସବ୍ଡ୍ରମାଲ୍ ସିଙ୍ଗଲ୍ ରଡ୍ କଣ୍ଟ୍ରାସେପ୍ଟିଭ୍ ଇମ୍ପ୍ଲାଣ୍ଟ’ ପଦ୍ଧତି ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମାସରୁ କଟକ ଓ ଗଞ୍ଜାମ ଜିଲ୍ଲାରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯିବ । ୟୁଏନ୍ପିଏଫ୍ ଏହି ସବ୍ଡେରମାଲ୍ ସିଙ୍ଗଲ୍ ରଡ୍ କଣ୍ଟ୍ରାସେପ୍ଟିଭ୍ କ୍ୟାପସୁଲ ଯୋଗାଇଦେବ । ଉଭୟ ଜିଲ୍ଲାରେ ୧୦ ହଜାର ମହିଳାଙ୍କଠାରେ ଏହାକୁ ପ୍ରୟୋଗ କରାଯିବ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ଅନ୍ୟ ଜିଲ୍ଲାରେ ଏହି ବ୍ୟବସ୍ଥା ଆପଣାଇବେ । ଏହା ମହିଳାଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ନାସନାଲ ହେଲ୍ଥ ମିଶନ(ଏନ୍ଏଚ୍ଏମ୍) ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ପାଇଁ ଦୁଇ ଜଣ ଡାକ୍ତର ସ୍ୱତନ୍ତ୍ର ଟ୍ରେନିଂ ପାଇଁ ବିଦେଶ ଯିବେ । ସବ୍ଡ୍ରମାଲ୍ ସିଙ୍ଗଲ୍ ରଡ୍ କଣ୍ଟ୍ରାସେପ୍ଟିଭ୍ ଇମ୍ପ୍ଲାଣ୍ଟ ପଦ୍ଧତିରେ ମହିଳାଙ୍କ କହୁଣୀ ଉପରକୁ ବାହୁର ତଳ ପଟକୁ ଚର୍ମ ତଳେ ୨ ମିଲିମିଟର ଆକାରର ଏକ ସୂକ୍ଷ୍ମ କ୍ୟାପସୁଲ ରୋପଣ(ଇମପ୍ଲାଣ୍ଟ) କରାଯିବ । ଏହି କ୍ୟାପସୁଲରୁ ନିର୍ଗତ ହର୍ମୋନ ଗର୍ଭାଶୟରୁ ଡିମ୍ବାଣୁ ବାହାରିବା ପ୍ରକ୍ରିୟାକୁ ରୋକିବ । ଫଳରେ ଭ୍ରୁଣ ସୃଷ୍ଟି ହୋଇ ପାରିବନାହିଁ । ଗୋଟିଏ କ୍ୟାପସୁଲ ୩ ବର୍ଷ ଯାଏଁ କାମ କରିବ । ତେବେ ୩ ବର୍ଷ ପୂର୍ବରୁ ଯଦି ଚାହିଁବେ ତେବେ ମହିଳା ଏହାକୁ ବାହାର କରିଦେଇ ପାରିବେ । ବିଶ୍ୱର ୧୦ ଦେଶରେ ପ୍ରାୟ ୨ କୋଟି ୫୦ ଲକ୍ଷ ମହିଳା ଏହି ପଦ୍ଧତିକୁ ଆପଣେଇଛନ୍ତି । ଏହାକୁ ନେଇ ଆଇସିଏମ୍ଆର ମଧ୍ୟ ଗବେଷଣାରେ କୃତକାର୍ୟ୍ୟ ହୋଇଛି ।ଅନ୍ୟପଟରେ ଓଡ଼ିଶାରେ ବର୍ତ୍ତମାନ ୩ ମାସ ପର୍ୟ୍ୟନ୍ତ ଗର୍ଭଧାରଣ ରୋକିବା ପାଇଁ ଅନ୍ତରା କାର୍ୟ୍ୟକ୍ରମ ମାଧ୍ୟମରେ ଗର୍ଭ ନିରୋଧକ ଏମ୍ପିଏ ଇଞ୍ଜେକ୍ସନ୍ ଦିଆଯାଉଛି । ଗତବର୍ଷ ୪୨ ହଜାର ମହିଳାଙ୍କୁ ଏହି ଇଞ୍ଜେକ୍ସନ୍ ଦିଆଯାଇଥିଲା । ହେଲେ ଚଳିତ ବର୍ଷ ନୂତନ ଭାବେ ସବ୍କ୍ୟୁଟାନିୟସ୍ ଇନ୍ଜେକ୍ଟବୁଲ୍ କଣ୍ଟ୍ରାସେପ୍ଟିଭ୍(ଏସ୍ସି-ଏମ୍ପିଏ) ଇଞ୍ଜେକ୍ସନ୍ ୧ ଲକ୍ଷ ମହିଳାଙ୍କୁ ଦିଆଯିବ । ଯାହାକି ପୂର୍ବ ଇଞ୍ଜେକ୍ସନ୍ ଅପେକ୍ଷା ଅଧିକ ଲାଭଦାୟୀ ।






