ନୟାଗଡ଼, (ବାଘୁଆବାର୍ତ୍ତା): ୨୦୦୮ ଫେବୃୟାରୀ ୧୫ ତାରିଖ ରାତ୍ରି ୧୦ ଟା ସମୟରେ ନୟାଗଡ଼ରେ ଅନୁଷ୍ଠିତ ହୋଇଥିଲା ମାଓବାଦି ଆକ୍ରମଣ । ଏହି ମାମଲାରେ ମୁଖ୍ୟ ଅଭିଭୁକ୍ତ ସବ୍ୟସାଚି ପଣ୍ଡାଙ୍କ ସମେତ ଅନେକ ଅଭିଯୁକ୍ତ ଥିବା କ୍ରାଇମ ବ୍ରାଞ୍ଚ ରିପୋର୍ଟ ପ୍ରଦାନ କରିଥିଲା । ଇତି ମଧ୍ୟରେ ୧୫ ବର୍ଷ ବିତି ଯାଇଥିଲେ ହେଁ କେହିବି ଜଣେ ଦୋଷି ସାବ୍ୟସ୍ତ ହୋଇ ନାହାନ୍ତି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସବ୍ୟସାଚୀ ପଣ୍ଡାଙ୍କ ନାମରେ ୯ ଗୋଟି ମାମଲା ରୁଜ କରାଯାଇଥିଲା । ଏଥି ମଧ୍ୟରୁ ଦଶପଲ୍ଲା ଆକ୍ରମଣର ୪ ଗୋଟି ମାମଲାରୁ ସବ୍ୟସାଚି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଆଜି ନୟାଗଡ଼ ରିଜର୍ଭ ପୁଲିସ ବ୍ୟାରେକରେ ହୋଇଥିବା ମାଓବାଦି ଆକ୍ରମଣର ଥିଲା ଶୁଣାଣି । ମାନ୍ୟବର ବିଚାରପତି ରୁପଶ୍ରୀ ଚୌଧୁରୀ ଆଜି ସବ୍ୟସାଚିଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଜଗତସିଂପୁରର ମଞ୍ଜୁଲତା ମୁଦୁଲି ଓ ପ୍ରତାପ କିମ୍ବିକାଙ୍କୁ ବିଚାରପତି ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ସୁଚନାନୁସାରେ ୨୦୦୮ ଫେବୃୟାରୀ ୧୫ ତାରିଖଠାରୁ ପ୍ରତି ମୂହୂର୍ତ୍ତରେ ନୟାଗଡ଼ ଶୀହରି ଉଠୁଛି ମାଓ ଆକ୍ରମଣର ବିଭତ୍ସ ସ୍ଥିତିକୁ ମନେ ପକାଇଛି । ନୟାଗଡ଼ ଜିଲ୍ଲାରେ ପ୍ରଥମ କରି ଘଟିଥିବା ଏହି ଛାତିଥରା ଦୁଶ୍ୟ ଆଜି ବି ଅନେକଙ୍କ ହୃଦୟରେ ଗାରଟିଏ ଟାଣି ହୋଇରହିଛି । ଏବେ ବି ନୟାଗଡ଼ବାସୀଙ୍କ ଲୋମ ଟାଙ୍କୁରି ଉଠୁଛି । ସଶସ୍ତ୍ର ମାଓବାଦୀମାନେ ନୟାଗଡ଼ ଜିଲ୍ଲାରେ ଆକ୍ରମଣ କରି ରଚିଥିବା ତାଣ୍ଡବ ନୃତ୍ୟରେ ୧୫ ଜଣ ପୁଲିସ କର୍ମଚାରୀ ଏବଂ ସାଧାରଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ମାତ୍ର ପୁଲିସ ଓ କ୍ରାଇମବ୍ରାଞ୍ଚ ଏହି ବିଭତ୍ସ ଘଟଣାରେ ଅଭିଯୁକ୍ତ ସଜାଇଥିବା ମାଓନେତାମାନେ ଆଜି ଗୋଟିଏ ପରେ ଗୋଟିଏ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମୟ ରାତି ୧୦ଟା ନୟାଗଡ଼ ସହରକୁ ଦୁଇଟି ପାଲଟଣା ଗାଡ଼ି ପ୍ରବେଶ କରିଥିଲା । ଗୋଟିଏ ଗାଡ଼ି ଏସ୍ପିଙ୍କ ବାସଭବନ ଦେଇ ପିଟିଏସ୍ଠାରେ ପହଞ୍ଚିଥିଲା । ଆଉ ଗୋଟିଏ ଗାଡ଼ି ବ୍ରଜେନ୍ଦ୍ର ହାଇସ୍କୁଲଠାରେ ପହଞ୍ଚିଥିଲା । ଗାଡ଼ିରୁ ମାଓବାଦୀମାନେ ଓହ୍ଲାଇ ନିଜ ନିଜ ଜାଗା ଅକ୍ତିଆର କରି ନେଇଥିଲେ । ଏକ ୪୦୭ ଗାଡ଼ି ସହରକୁ ପଶି ମାଓବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲେ । ଏହା ପରେ ମାଓବାଦୀମାନେ ଏକା ସଙ୍ଗେ ୬ ଟି ସ୍ଥାନରେ ରଚିଥିଲେ ତାଣ୍ଡବଲୀଳା । ଜିଲ୍ଲା ରିଜର୍ଭ ଅଫିସ, ନୟାଗଡ଼ ଥାନା, ପୋଲିସ ଟ୍ରେନିଂ ସ୍କୁଲ, ମହିପୁର ଫାଣ୍ଡି, ନୂଆଗାଁ ଥାନା, ଦଶପଲ୍ଲା ଥାନାରେ ଏମାନେ ଆକ୍ରମଣ କରିଥିଲେ । ସେହିଭଳି ଦଶପଲ୍ଲା ଆଇଆଇସିଙ୍କ ବାସ ଭବନ ପୋଡ଼ିଦେବା ସହ ତ୍ରିନାଥ ଛକଠାରେ ଏକ ନଡ଼ିଆ ଟ୍ରକ୍କୁ ଅପହରଣ କରି ନେଇଥିଲେ । ଏକ ଦୋକାନରୁ ମାଓବାଦୀମାନେ ଟାୟାର ନେଉଥିବା ସମରେ ଦଶପଲ୍ଲାର ବିଟ୍ରିଶ୍ ବେହେରା ନାମକ ଜଣେ ଲୋକ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଓବାଦୀମାନେ ଗୁଳି କରି ନିହତ କରି ଦେଇଥିଲେ । ଏହି ମାଓ ଆକ୍ରମଣରେ ସହୀଦ ହୋଇଥିବା ପୁଲିସ କର୍ମଚାରୀମାନେ ହେଲେ, ଏଏସ୍ଆଇ ଦଣ୍ଡପାଣି ମିଶ୍ର, ଏଏସ୍ଆଇ ରବିନ୍ଦ୍ର ନାଥ ସାହୁ, ହାବିଲଦାର ବ୍ରଜବନ୍ଧୁ ବସନ୍ତିଆ, ଲାନ୍ସ ନାୟକ ପଞ୍ଚୁ ପେଣ୍ଠେଇ, କନେଷ୍ଟବଳ ସନ୍ତୋଷ କୁମାର ବାଇ, ପ୍ରଫୁଲ୍ଲ କୁମାର ପ୍ରଧାନ, ସଦ୍ଦିକ ଅଲ୍ଲୀ ଖାନ୍, ଶ୍ରୀନିବାସ ବେହେରା, ଚିନ୍ତାମଣୀ ସାହୁ, ଗ୍ରାମରକ୍ଷୀ ଆନନ୍ଦ ଚନ୍ଦ୍ର ନାୟକ, ଝାଡ଼ୁଦାର ଭୋଳା ନାଏକ, ସୋମନାଥ ସ୍ୱାଇଁ, ହାବିଲଦାର ଶତୃଘ୍ନ ପଣ୍ଡା, ରାଜକିଶୋର ପ୍ରଧାନ, ରୁବେନି ଏକ୍କା । ମାଓବାଦୀମାନେ ଯିବା ବେଳେ ରିଜର୍ଭ ଅଫିସ ଓ ପିଟିଏସ୍ ଆର୍ମେରୀରୁ ୫୦ ହଜାରରୁ ଉର୍ଦ୍ଧ୍ୱ ଆମ୍ୟୁନେଶନ୍(ଜୀବନ୍ତ ଗୁଳି), ୩ ହଜାରରୁ ଉର୍ଦ୍ଧ୍ୱ ଗ୍ରେନେଡ଼୍ ୩୬- ହାଇ ଏକ୍ଲପ୍ଲୋସିଭ୍ ବୋମା (ଜୀବନ୍ତ) ସମେତ ଏକେ ୪୭ ଶକ୍ତିଶାଳୀ ବନ୍ଧୁକ ଅବାଧରେ ଲୁଟି ନେଇଥିଲେ । ମାଓବାଦୀମାନେ ଗୋଟିଏ ଘରୋଇ ବସ୍ ଓ ଏକ ମିନିଟ୍ରକ୍ରେ ଏସବୁ ଲୁଟି ନେଇ ଯାଇଥିଲେ । ଏହି ଘଟଣାରେ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାର ୨ ଦିନ ପରେ ପ୍ରଥମେ ଦଶପଲ୍ଲା ଅଞ୍ଚଳରୁ ଶୁଭଙ୍କର ପ୍ରଧାନ ଦଶପଲ୍ଲା ଅଞ୍ଚଳରୁ ଗିରଫ କରାଯାଇଥିଲା । ପରେ ରଣଜିତ୍ ସାଣା, ରବି ଦୁଲାଇ, ଆଶୁତୋଷ ସୋରନ, କମଳକାନ୍ତ ସେଠୀ, ସୁଜାତା ଟୁକୁରୁକା, କିଶୋର ଜେନା, ପି.ରାମାରାଓ, ଡୁନା କେଶବ ରାଓ ଓରଫ ଆଜାଦ୍, ପୁନୁ ଓରାମ, ମଂଜୁଲତା ମୁଦୁଲି, ପ୍ରତାପ କିମ୍ବିକା ଓ ମାଓନେତା ସବ୍ୟସାଚୀ ପଣ୍ଡା । ଏମାନଙ୍କ ବିରୁଦ୍ଧରେ ଥିବା ମାମଲା ଗୁଡ଼ୁକ ନୟାଗଡ଼ କୋର୍ଟରେ ବିଚାର ଚାଲୁଥିବା ବେଳେ ଅନେକ ମାମଲାରୁ ଅଭିଯୁକ୍ତ ମାଓବାଦୀ ଏବଂ ମାଓନେତା ନିର୍ଦ୍ଦୋଷରେ ଖଲାସ ହୋଇ ଚାଲିଛନ୍ତି । ପ୍ରମାଣ ଅଭାବରୁ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉଥିବା ବିଭିନ୍ନ ସମୟରେ ଦେଖାଯାଇଛି ।





