ଧର୍ମଗଡ଼, (ବାଘୁଆବାର୍ତ୍ତା): ଜେଲ ଗଲେ ୨ ଦୁର୍ନୀତିଗ୍ରସ୍ତ ବନ ଅଧିକାରୀ । ବନୀକରଣ ନାଁରେ କରିଥିଲେ ଦୁର୍ନୀତି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲାରେଞ୍ଜରେ ‘ଆମ ଜଙ୍ଗଲ କାମ୍ପା ଯୋଜନା’ରେ ୨୦୧୫-୧୬ ଏହି ବର୍ଷରେ ଖେରାବାଣ୍ଡି, ନର୍ଲା ଏବଂ ସର୍ଗିଗୁଡ଼ା ଏହି ତିନିଟି ବିଟରେ ୧୪୫୦ ହେକ୍ଟର ଜଙ୍ଗଲରେ ବନୀକରଣ ନାଁରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ବନ ଅଧିକାରୀମାନେ ୨୩ ଲକ୍ଷ ୬୩ ହଜାର ଟଙ୍କା ଆତ୍ମସାତ୍ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ଏହାର ତଦନ୍ତ ପାଇଁ ଭିଜିଲାନ୍ସ ଟିମକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ପୂର୍ବତନ ଡିଅଫଓ, ପୂର୍ବତନ ଏସିଅଫ, ପୂର୍ବତନ ରେଞ୍ଜର, ପୂର୍ବତନ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ସମସ୍ତଙ୍କୁ ଭିଜିଲାନ୍ସ କୋର୍ଟରେ ହଜାର ହେବା ପାଇଁ ସମନ ହୋଇଥିଲା । ଦୁଇ ଅଧିକାରୀ କୋର୍ଟରେ ହଜାର ହୋଇ ଜାମିନ ପାଇଁ ଆବେଦନ କରିଥିଲେ । ତେବେ ଜାମିନ ନାମଞ୍ଜୁର ହେବା ପରେ ଦୁଇ ଅଧିକାରୀଙ୍କୁ ଜେଲକୁ ପଠା ଯାଇଛି ଏବଂ ଅନ୍ୟ ତିନି ଜଣଙ୍କୁ ସମନ କରାଯାଇଛି ।





