ନୟାଗଡ଼,(ବାଘୁଆବାର୍ତ୍ତା): ମାର୍ଚ୍ଚ ୧୬ ତାରିଖରେ ଓଙ୍ଗ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୂବନେଶ୍ୱର ବ୍ରିଟ୍ କଲୋନୀର ଯୁବକ ଇଙ୍କାଲୀରେ କମ୍ପ୍ୟୁଟର ସାଇନ୍ସ ପାଠ ପଢ଼ୁଥିଲେ । ମାର୍ଚ୍ଚ ୧୨ ତାରିଖରେ ଭୂବନେଶ୍ୱର ଫେରିଥିଲେ । ତାଙ୍କଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହା ପ୍ରଥମ ଘଟଣା ଥିଲା । ପରେ ନିଜ୍ଜାମୁଦ୍ଦିନ ଫେରନ୍ତା ଏବଂ କଲିକତା ଫେରନ୍ତାଙ୍କ ପାଇଁ କରୋନା ଚିନ୍ତା ବଢ଼ାଇ ଥିଲା । ଆଜିର ସ୍ଥିତିରେ ସାରା ଓଡ଼ିଶାରେ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ଟି ଜିଲ୍ଲାକୁ ଏହା ଛୁଇଁ ସାରିଲାଣି । ରାଜ୍ୟରେ ୧୯ ନମ୍ବର ଜିଲ୍ଲା ଭାବେ ନୟାଗଡ଼ ଜିଲ୍ଲାରୁ କରୋନା ଆକ୍ରାନ୍ତ ଗତକାଲି ଚିହ୍ନଟ ହୋଇଛି । ରଣପୁର ନିର୍ବାଚନ ମଣ୍ଡଳୀ ଶରଣକୂଳ ଥାନା ଅନ୍ତର୍ଗତ ହରିହରପୁର କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସବୁଜ ନୟାଗଡ଼ କମଳା ଜୋନ୍ରେ ପରିଣତ ହୋଇଛି । ସୂଚନାନୁସାରେ, ପ୍ରାଥମିକ ସ୍ତରରେ ନୟାଗଡ଼କୁ ୫୦ ଉର୍ଦ୍ଧ୍ୱ ଫେରିଥିବା ବିଦେଶୀମାନଙ୍କ ମଧ୍ୟରେ କୈାଣସି ଲକ୍ଷଣ ଦେଖା ଯାଇନଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତା କିମ୍ବା କଲିକତା ଫେରନ୍ତାଙ୍କ ମଧ୍ୟରେ ମଧ୍ୟ କେହି ରୋଗୀ ଚିହ୍ନଟ ହୋଇନଥିଲେ । ଏହି ଫେରନ୍ତାମାନେ ଲୁଚାଛପାରେ ଆସି ପ୍ରଶାସନ ନଜରରେ ରହିଥିଲେ । ତୃତୀୟ ପର୍ଯ୍ୟାୟରେ ଅନେକ ବସ୍ ଓ ଟ୍ରେନ୍ ଯୋଗେ ବିଭିନ୍ନ ରାଜ୍ୟ ତଥା ମୁଖ୍ୟତଃ ସୁରାଟ, ଆନ୍ଧ୍ର, କର୍ଣ୍ଣାଟକ, କେରଳ ଆଦି ସ୍ଥାନରୁ ଫେରିଥିବା ପ୍ରବାସୀଙ୍କୁ ଜିଲ୍ଲା ପ୍ରଶାସନ କ୍ୱାରେଣ୍ଟାଇନ୍ରେ ରଖିଛି । ଏମାନଙ୍କ ମଧ୍ୟରୁ ୫ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ସ୍ୱାବ ଟେଷ୍ଟିଂ ପାଇ ପଠା ଯାଇଥିବା ବେଳେ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ନୟାଗଡ଼ ଜିଲ୍ଲା ସବୁଜରୁ କମଳା ଜୋନ୍ ଭାବେ ପରିଣତ ହୋଇଛି ।






