ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଲକ୍ଡାଉନ୍ କଟକଣାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସହରରେ ଦୋକାନ ବଜାର ଖୋଲିବା ଏବଂ ଗହଳୀକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି । ସହରରେ ଲୋକଙ୍କ ଯାତାୟତ ଓ ଗହଳୀ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଉଛି । ଗତ କିଛି ଦିନ ଧରି ପ୍ରଶାସନିକ କଟକଣାକୁ ଅମାନ୍ୟ କରି ଜିଲ୍ଲାର ପ୍ରତ୍ୟେକ ଅଂଚଳରେ ଦୋକାନ ବଜାର ଖୋଲାଯିବା ସହ ଗହଳୀ ଲାଗି ରହୁଥିଲା । ଆଜି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ଆସନ୍ତା କାଲି ଠାରୁ ବିନା କାରଣରେ ବୁଲୁଥିବା ଲୋକଙ୍କୁ ପୁଲିସ ଲାଠିମାଡ଼ କରିବାର ସମ୍ଭାବନା ରହିଛି । ଏପରିକି ଅନେକ ସ୍ଥାନରେ ଅଘୋଷିତ କର୍ଫ୍ୟୁ ଭଳି କଟକଣା କରାଯିବାକୁ ପ୍ରଶାସନ ଏଡ଼ାଇ ନଦେଇ ପାରେ । ଅନେକ ସମୟରେ ଦେଖାଯାଇଛି, ଅନେକ ବ୍ୟକ୍ତି ବିନା କାରଣରେ ସହର ଓ ବଜାରରେ ବୁଲୁଛନ୍ତି । ଆସନ୍ତାକାଲିଠାରୁ ପ୍ରଶାସନ ନିଷ୍ଠୁର ହେବାର ଆଭାସ ମିଳୁଛି । ଅନେକ ବ୍ୟବସାୟୀକ ଅନୁଷ୍ଠାନ ଉପରେ କଟକଣା ଲାଗିବାର ସମ୍ଭାବନା ରହିଛି ।






