ନୟାଗଡ଼, (ବାଘୁଆବାର୍ତ୍ତା): ଦୁଇ ଦେଶୀ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାଗଡ଼ ସଦର ପୋଲିସ । କୋର୍ଟ ଚାଲାଣ ହୋଇଥିବା ଦୁଇ ମଦ ବେପାରୀ ହେଲେ ବୋଦାପଡା ଗ୍ରାମର ରାଜୁ ପ୍ରଧାନ ଓ ରାୟପୁର ଗ୍ରାମର ସୁରେନ୍ଦ୍ର ସାହୁ । ନୟାଗଡ଼ ସଦର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଦୁଇଟି ଜାଗାରେ ଛକି ରହିଥିବା ବେଳେ ବୋଦାପଡା ଗ୍ରାମର ରାଜୁ ପ୍ରଧାନ ଟିଭିଏସ ଏକସେଲ ଗାଡ଼ି ନଂ OD 25D 8549ରେ ବେଆଇନ ଭାବେ ମଦ ନେଇ ଫେରୁଥିବା ବେଳେ ସଦର ପୋଲିସ କାବୁ କରି 10ଲିଟର ମଦ ଓ ଗାଡ଼ି ଜବତ କରିବା ସହ ରାଜୁ ପ୍ରଧାନକୁ ଗିରଫ କରିଥିଲେ । ସେହିପରି ଭାବେ ସଦର ଥାନା ଅନ୍ତର୍ଗତ ରାୟପୁର ଗ୍ରାମର ସୁରେନ୍ଦ୍ର ସାହୁ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା ବେଳେ ପୋଲିସ ଚଢ଼ାଉ କରି 50ଲିଟର ମଦ ଓ OD 25A 2017 ହିରୋ ସୁପର ସ୍ପେଣ୍ଡର ଗାଡ଼ି ଜବତ କରିବା ସହ ସୁରେନ୍ଦ୍ରକୁ ଗିରଫ କରିଛି । ଉଭୟ ମଦ ବେପାରୀଙ୍କୁ ନୟାଗଡ଼ ସଦର ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ସଦରଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





