ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ଲାଉଖାଲ ନର୍ସରି ନିକଟରୁ ବନବିଭାଗ ୬୦ କେଜି ଜଙ୍ଗଲୀ ମାଂସ ଜବତ କରିବା ସହ ଏକ ଅଟୋ ଜବତ କରିଥିବା ଜଣାପଡ଼ିଛି।ଏହି ଘଟଣାରେ ସଂପୃକ୍ତ ରଙ୍ଗଣୀପାଟଣା ପଞ୍ଚାୟତ ଗୋଡିପଲ୍ଲୀ ଗ୍ରାମର ପୀତବାସ ନାହାକ (୫୬) ଓ ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୁତି ଗ୍ରାମର ଫକୀର ନାହାକ (୫୫)କୁ ଗିରଫ କରିଥିବା ଜଣାପଡ଼ିଛି।ବୁଧବାର ସକାଳେ ବିଦେଶୀ ଜଙ୍ଗଲୀ ମାଂସ ନେଇ ଆସୁଥିବା ସୂଚନାପାଇ ବନବିଭାଗ ଲାଉଖାଲ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଉଭୟଙ୍କୁ କାବୁ କରିଥିଲେ।ପୀତବାସ ଓ ଫକୀର ଓଡ଼ି ୨୫ ୬୩୬୪୯ ନଂ ବିଶିଷ୍ଟ ଅଟୋ ଯୋଗେ ଦୁଇଟି ଜରି ଅଖା ମଧ୍ୟରେ ମାଂସ ନେଇ ଗଂଜାମ ଅଭିମୁଖେ ଯାଉଥିବାବେଳେ ବନବିଭାଗ ହାବୁଡରେ ପଡିଥିଲା।

ବନ ବିଭାଗ ମାଂସ ଜବତ କରିବା ସହିତ ଏହାର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିବା ପରେ ଅବଶିଷ୍ଟ ରେଞ୍ଜ ଅଫିସ କାର୍ୟ୍ୟାଳୟରେ ପୋତିଦେଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହିତ କୋର୍ଟଚାଲାଣ କରାଯିବ ବୋଲି ରଞ୍ଜର ଆଶିଷ କୁମାର କଅଁର ସୂଚନା ଦେଇଛନ୍ତି।ଠିକ ସେହିପରି ବାହାଡ଼ଝୋଲା ସେକ୍ସନ ମାଣୀକପାଟଣା ଛକରୁ ବନବିଭାଗ ମଙ୍ଗଳବାର ବିଳମ୍ବିତ ରାତିରେ ମାଂସ ଚାଲାଣ ହେଉଥିବା ଖବର ପାଇ ଛକି ବସିଥିଲା।କିନ୍ତୁ ଅଭିଯୁକ୍ତ ବନବିଭାଗ ପାଟ୍ରୋଲିଙ୍ଗ ଗାଡିକୁ ଦେଖି ମାଂସ ଭର୍ତ୍ତି ଅଖା ଫୋପାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ବସ୍ତା ମଧ୍ୟରେ ଥିବା ୫୦ କେଜି ମାଂସକୁ ଜବତ କରିବା ସହ କାପ୍ତାପଲ୍ଲୀ ସରପଞ୍ଚ,ୱାର୍ଡସଭ୍ୟ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ବାହାଡ଼ଝୋଲା କାର୍ୟ୍ୟାଳୟ ପରିସରରେ ମାଂସକୁ ପୋତିଦେଇଥିବା ବନପାଳ ସନାତନ ସ୍ୱାଇଁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲ ବନପାଳ କହିଛନ୍ତି।





