ଆଠମଲ୍ଲିକ, (ବାଘୁଆବାର୍ତ୍ତା): ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଗାଁ ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ମିଳିଛି ହାତଲେଖା ବେନାମୀ ଚିଠି । ଗାଁ ସଭାପତି ବାଳକୃଷ୍ଣ ନାୟକ ଶନିବାର ରାତିରେ ନିଜ ଘରଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିଲେ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଳକୃଷ୍ଣଙ୍କୁ ଧରି ଏକ ଇଞ୍ଜେକସନ ଫୋଡ଼ିଦେଇ ପଳାଇ ଯାଇଥିଲେ । ଏହାପରେ ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ପଳାଇ ଆସି ତାଙ୍କୁ କିଛି ଫୋଡି ଦିଆଯାଇଥିବା କହିବା ସହ ବାନ୍ତି କରିଥିଲେ । ଏହାପରେ ସେ ଅଚେତ୍ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ପ୍ରଥମେ ଅନୁଗୋଳ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ପଠାଇ ସ୍ଥାନାନ୍ତର କରିଥିଲେ । ହେଲେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଡାକ୍ତରଖାନା ଅଣାଯାଇଥିଲା । ତେବେ ଫାର୍ମରେ ଶୋଇଥିବା ସ୍ଥାନରୁ ପରିବାର ଲୋକେ ଏକ ହାତଲେଖା ବେନାମୀ ଚିଠି ପାଇଥିଲେ । ଯେଉଁଥିରେ ଲେଖାଅଛି, ‘ସଭାପତି ମହୋଦୟ, ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା, ଆଜି ପୁରଣ ହେଲା ।’ ଏହାଛଡା ଦୁଇଟି ସିରିଞ୍ଜ ମଧ୍ୟ ସେହି ସ୍ଥାନରୁ ମିଳିଛି । ତେବେ କିଏ ଓ କାହିଁକି ଏଭଳି ଅଭିନବ ଉପାୟରେ ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ବାଳକୃଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।





