
ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଓ ଲୋକ ସେବା ଦିବସ ଜିଲ୍ଲା ପରିଷଦ ସଭାଗୃହ ସୃଜନଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ. ପବିତ୍ର କୁମାର ସୁବୁଦ୍ଧି ଯୋଗ ଦେଇଥିଲେ। ସ୍ବର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନୟାଗଡ଼ ବିଧାୟକ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ବିଜୁ ବାବୁ ପଞ୍ଚାୟତରାଜ ବ୍ୟବସ୍ଥା ମଧ୍ୟରେ ମହିଳାମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ରାଜନୈତିକ ଓ ସାମାଜିକ ସ୍ତରରେ ତାଙ୍କର ବଳିଷ୍ଠ ପଦକ୍ଷେପ ଆଜି ଓଡ଼ିଶାକୁ ଆଗକୁ ନେବାରେ ସହାୟକ ହୋଇଛି। ବିଜୁ ବାବୁ ଓଡ଼ିଶାକୁ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ବାସ୍ତବତାର ରୂପ ନେଇଥିବା ବିଧାୟକ କହିଥିଲେ। ସମାଜସେବା କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ନୁହେଁ। ଜନ ପ୍ରତିନିଧିମାନେ ସାମାଜିକ କ୍ଷେତ୍ରରେ କାମ କଲେ ବିଜୁ ବାବୁଙ୍କ ସ୍ବପ୍ନ ସାକାର ହେବ ବୋଲି ବିଧାୟକ କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ଜନମାନସର ଗର୍ବ ବୋଲି ରଣପୁର ବିଧାୟକ କହିଥିଲେ। ବିଜୁ ବାବୁଙ୍କ ପ୍ରେରଣା ଆଗାମୀ ପିଢିକୁ ସ୍ବଚ୍ଛ ଶାସନ ଦେବାରେ ସମର୍ଥ ହୋଇପାରିଛି ବୋଲି ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ କହିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ସୁବୁଦ୍ଧି ତାଙ୍କ ବକ୍ତବ୍ୟରେ, ବିଜୁ ବାବୁଙ୍କ ଜୀବନ ଓ ଇତିହାସ ସମ୍ପର୍କରେ ଅବଗତ କରାଇଥିଲେ। ଓଡ଼ଗାଁ ବ୍ଲକ ଅସୁରଢିପା ଉତ୍ପାଦକ ଗୋଷ୍ଠୀ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂହ, ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ, ଚିନ୍ମୟୀ ଦାସ, ଉଜ୍ଜ୍ୱଲା ମହାରଣା ଓ ବିଭିନ୍ନ ପଞ୍ଚାୟତ ସରପଞ୍ଚ ଯୋଗ ଦେଇଥିଲେ।






