ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । କନ୍ଦର୍ପଙ୍କ ବାସଭବନ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଉଛି । ଅନୁଗୁଳ, ଖୋର୍ଦ୍ଧା ଏବଂ କଳାହାଣ୍ଡି ଜିଲ୍ଲାର ୮ଟି ସ୍ଥାନରେ ଚଢାଉ ଜାରି ରହିଛି । ଭୁବନେଶ୍ୱରର ରସୁଲଗଡ ସ୍ଥିତ ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୩୦୧, ଖାରବେଳନଗରର ବୈଷ୍ଣୋ ରିଜେନ୍ସିର ଫ୍ଲାଟ ନମ୍ବର ୧, ସହିଦନଗରରେ ଥିବା ଇମ୍ପେରିଆ ଆପାର୍ଟମେଣ୍ଟର ପ୍ରଥମ ମହଲାର ଫ୍ଲାଟ ନମ୍ବର ୧୦୧, ଅନୁଗୁଳ ଜିଲ୍ଲା ତୁରଙ୍ଗାରେ ଥିବା ଏକ ଦୁଇ ମହଲା ଘର, ଖିଲାରରେ ଏକ ପ୍ଲଟ୍ ଓ ପୈତୃକ ଗ୍ରାମ ବନ୍ତଳରେ ଥିବା ଘର, ଭବାନୀପାଟଣାରେ ଥିବା ସରକାରୀ କ୍ବାର୍ଟର ଓ କାର୍ୟ୍ୟାଳୟ ଚଢାଉ ଜାରି ରହିଛି । ଚଢାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ତାଙ୍କର ଏପର୍ୟ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।





