କାମ ଓ ପରିଚୟ ଯୋଗାଇ ଦେବାକୁ ଦାବି
ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ଲକ୍ଡାଉନ୍ କାରଣରୁ ସବୁ କ୍ଷେତ୍ରରେ ଲୋକେ ପ୍ରଭାବିତ ହୋଇଥିବା ବେଳେ ଏଥିରେ କ୍ଷତିଗ୍ରସ୍ତ ଏବଂ ରୋଜଗାର ହୀନ ହୋଇପଡ଼ିଛନ୍ତି ଚିତ୍ରରଂଗ କାରିଗରମାନେ । ଫଳରେ ଆଜି ଅଲ୍ ଓଡ଼ିଶା ପେଣ୍ଟିଙ୍ଗ୍ ଆର୍ଟିଷ୍ଟ ଓ ଏଡ୍ଭର୍ଟାଇଜ୍ମେଣ୍ଟ ଆସୋସିସନ୍ ନୟାଗଡ଼ ଜିଲ୍ଲା କମିଟି ପକ୍ଷରୁ ସହାୟତା, କାମ ଓ ପରିଚୟ ଯୋଗାଇ ଦେବାକୁ ଦାବି କରାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ବିବାହ, ବ୍ରତୋପନୟନ, ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି କନା ବ୍ୟାନର୍, ସାଇନ୍ ବୋର୍ଡ଼, ବିଭିନ୍ନ ସରକାରୀ ଓ ଘରୋଇ କମ୍ପାନୀର ବିଜ୍ଞାପନକୁ କାନ୍ଥରେ ରଖି ନିଜ ନିଜର ପରିବାର ପ୍ରତିପୋଷଣ କରୁଥିବା ଚିତ୍ରରଂଗ କାରିଗର ମାନେ ଏବେ ଲକ୍ଡାଉନ୍ ପାଇଁ କାମ ନପାଇ ହତୋତ୍ସାହିତ ହୋଇ ପଡ଼ିଛନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ପୈାରାଞ୍ଚଳରେ ଶହେ କୋଟିର କାମ କରିବାକୁ ଘୋଷଣା କରିଥିବା ବେଳେ ଏଥି ମଧ୍ୟରେ ଅନେକ ସୈାନ୍ଦର୍ଯ୍ୟ କରଣ କାମ ହାତକୁ ନିଆଯିବାକୁ ସ୍ଥିର କରାଯାଇଛି । ଫଳରେ ଜିଲ୍ଲା ପ୍ରଶାସନ ଚିତ୍ରରଂଗ କାରିଗର ମାନଙ୍କ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରିବା ସହ ଏହି କାମ ଯୋଗାଇ ଦେବାକୁ ଦାବି କରାଯାଇଛି । ଏଥିସହିତ ଲକ୍ଡାଉନ୍ ପାଇଁ କାରିଗରମାନେ ନିଜ ଘର ଭଡ଼ା ଦେଇ ପାରୁନଥିବା, ବ୍ୟାଙ୍କ ଋଣ ଶୁଝି ପାରୁନଥିବାରୁ ସହାୟତା ଦାବି କରାଯାଇଛି । ଆଜି ଆସୋସିଏସନ୍ ସଭାପତି ବିଜୟ କୁମାର ସାହୁ, ସଂପାଦକ ସୁରେନ୍ଦ୍ର କୁମାର ଜେନା ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।





