କଳ୍ପନା କାରିଗର ଅରୁଣ, ଗଢ଼ୁଛନ୍ତି ନୂଆ ନୟାଗଡ଼
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ । ଆମ ପାଇଁ ବଡ଼ ଆମ ନୟାଗଡ଼ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଏହି ସ୍ଲୋଗାନର ଯଥାର୍ଥତା ଯେତିକି, ତାହାର ଓଜନ ବି ସେତିକି । ନୟାଗଡ଼ର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ସହ କଳ୍ପନା କାରିଗର ଭଳି ବିକାଶ ମୂଳକ କାର୍ଯ୍ୟକୁ ପରିମାର୍ଜ୍ଜିତ କରିବାରେ ବିଧାୟକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ପୃଷ୍ଠପୋଷକତାରେ ନୟାଗଡ଼ ସହରକୁ ରୂପାନ୍ତରିତ କରିବା ପାଇଁ ଏକ ବିରାଟ ନକ୍ସା ପ୍ରସ୍ତୁତ ହୋଇଥିବା ବାରି ହେଉଛି । ଏହି ନକ୍ସା ନୟାଗଡ଼ ସହରକୁ ବିକଶିତ କରିବା ସହ ସହର ବୃଦ୍ଧିରେ ସହାୟକ ହେବ ବୋଲି ଅନୁମାନ ହେଉଛି ।

ନୟାଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥକୁ ଟ୍ରାଫିକ ମୁକ୍ତ କରିବା ପାଇଁ ବାଇପାସ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇ ସାରିଛି । ୧୩୧ କୋଟି ଟଙ୍କା ଜମି ଅଧିଗ୍ରହଣ ବାବଦକୁ ଆସିଥିବା ବେଳେ ୯୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି । ବାଇପାସ ନିର୍ମାଣ ପାଇଁ ଗଛ କାଟିବା ପ୍ରକିୟା ମଧ୍ୟ ଆରମ୍ଭ ହୋଇଛି । ଚଳିତ ମାସରେ ବାଇପାସ୍ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ୧୭ କିଲୋମିଟର ବାଇପାସ ନିର୍ମାଣ ଦ୍ୱାରା ନୟାଗଡ଼ ସହର ବେଶ ବୃଦ୍ଧି ଘଟିବା ସହ ବ୍ୟବସାୟିକ ଅଭିବୃଦ୍ଧି ଘଟିବ ବୋଲି ଜଣାଯାଇଛି ।
ନୟାଗଡ଼ ସହର ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ୧ କୋଟି ୪୪ ଲକ୍ଷ ଟଙ୍କାରେ ଗୋଲୋଇ ଟ୍ରାଫିକ ବ୍ୟବସ୍ଥା ଏବଂ ବଳକା ଅର୍ଥରେ ଲାଇଟ ଟ୍ରାଫିକ ସିଷ୍ଟମ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପୁରୁଣା ବସଷ୍ଟାଣ୍ଡକୁ ଭଙ୍ଗା ଯିବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକ ନୂଆରୂପ ନେବ ବୋଲି ଜଣାଯାଇଛି ।

ନୟାଗଡ଼ ପୁରୁଣା ଜେଲ ଜମିକୁ ସଫା କରାଯିବା ସହ ଏହା ପାଇଁ ବଡ଼ ଯୋଜନା ପ୍ରସ୍ତୁତ ଚାଲିଛି । ପୈାର ପରିଷଦ ଅଧିନକୁ ଏହି ଜମି ଆସିବା ପରେ ଏହା ବିକାଶ ମୂଳକ ତଥା ଜନହିତକର କାର୍ଯ୍ୟ କରାଯିବ ବୋଲି ଜଣାଯାଇଛି । ଏହା ସହିତ ଆଜି ନୟାଗଡ଼ ପୈାର ପରିଷଦ ପକ୍ଷରୁ ୩୦ କୋଟିରୁ ଉର୍ଦ୍ଧ୍ୱ ମୁଲ୍ୟର ୨ ଏକର ଜମି ଜବରଦଖଲ ମୁକ୍ତ କରାଯାଇଛି । ନୟାଗଡ଼ ସାମ୍ବାଦିକ ଭବନ ଏବଂ ବୟନିକା ମଝିରେ ଥିବା ଏହି ଜମି ବେଶ କାମରେ ଲାଗିବ । ପଠାଣି ସାମନ୍ତ ପ୍ରେକ୍ଷାଳୟକୁ ନୂଆରୂପ ଦେବାରେ ଏହି ଜମି ବ୍ୟବହାର କରାଯିବା ସହ ଦୁର୍ଗାମଣ୍ଡପ ନିର୍ମାଣରେ ମଧ୍ୟ ବ୍ୟବହାର ହୋଇପାରିବ । ଏହା ପରିସରରେ ରହିଥିବା ପୁଷ୍କରଣୀକୁ ପୁନଃରୁଦ୍ଧାର କରାଯାଇ ପ୍ରେକ୍ଷାଳୟ ପରିସରକୁ ଅଣାଗଲେ, ପ୍ରେକ୍ଷାଳୟର ସୈାନ୍ଦର୍ଯ୍ୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ।

ନୟାଗଡ଼ରେ ବିଶ୍ୱ ସ୍ତରୀୟ ବଲାଙ୍ଗୀ ପାର୍କ, ଜିଲ୍ଲା ପାଠାଗାର, ବିଭିନ୍ନ ସ୍ଥାନରେ ଖୋଲା ବାୟାମଶାଳା, ରୂପାନ୍ତରିତ ଶୈାଚାଳୟ, କ୍ରୀଡ଼ାର ଅଭିବୃଦ୍ଧ ପାଇଁ ବିଭିନ୍ନ ଖେଳ ପଡ଼ିଆର ଉନ୍ନତୀକରଣ ଯଥା- ନୟାଗଡ଼ ଫୁଟବଲ ପଡ଼ିଆ, କଲେଜ ପଡ଼ିଆ, ମଣ୍ଡାବାଗନ ପଡ଼ିଆ, ଷ୍ଟାଡିୟମ ନୟାଗଡ଼କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହା ସହିତ ସାଗର ପୁଷ୍କରିଣୀର ସୈାନ୍ଦର୍ଯ୍ୟ କରଣ ସହ ଯୋଗଶାଳା ନୟାଗଡ଼ ବିକାଶର ଅନ୍ୟତମ ଉଦାହରଣ ବୋଲି କୁହାଯାଉଛି ।
ଏହା ବାଦ ନୟାଗଡ଼ ସଦରଥାନାଠାରୁ କ୍ଷେତ୍ରିବରପୁରକୁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରାଯିବା ଦ୍ୱାରା ଉକ୍ତ ଅଞ୍ଚଳର ବିକାଶ ଘଟିବ ବୋଲି ଆଶା କରାଯାଉଛି । ପୈାର ପରିଷଦ ଅଧିନସ୍ଥ କ୍ଷେତ୍ରୀବରପୁରଠାରେ ନିର୍ମାଣ ହୋଇଥିବା ମଳ ପ୍ରକିୟାକରଣ କେନ୍ଦ୍ର, କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର ପ୍ରଭୃତିକୁ ଯାଆସ ସୁବିଧା ହେବା ସହ ଏହି ରାସ୍ତା ରୁକ୍ଷି ପାହାଡ଼ ତଳେ ଜନବସତି ସୃଷ୍ଟି କରିବାରେ ସହାୟକ ହେବ ।

ଚାଲୁ ରହିଥିବା ବିକାଶ ମୂଳକ କାର୍ଯ୍ୟ ଓ ହେବାକୁ ଥିବା ବିକାଶ ମୂଳକ କାର୍ଯ୍ୟ ସମାପ୍ତ ହେଲେ ନୟାଗଡ଼ ନୂଆଋପରେ ସାମ୍ନାକୁ ଆସିବ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି । ନୟାଗଡ଼ର ବିକାଶ ପାଇଁ ସଦାସର୍ବଦା ସ୍ୱପ୍ନ ଦେଖୁଥିବା ବିଧାୟକ ଡ. ସାହୁଙ୍କ ପରିକଳ୍ପନା ଅତୁଳନୀୟ ବୋଲି ଆଲୋଚନା ହେଉଛି ।






