ନୂଆ ଦିଲ୍ଲୀ, (ବାଘୁଆବାର୍ତ୍ତା): ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ କମାଲ କରିଛନ୍ତି ଭାରତୀୟ ଦଳ। ପ୍ରଥମଥର ପାଇଁ ଅଣ୍ଡର ଟି-୨୦ ମହିଳା ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆଜିର ସେମି ଫାଇନାଲ ମ୍ୟାଚ୍ରେ ଭାରତ ଏକତରଫା ଭାବେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ଓପନର ଶ୍ୱେତା ଶେରାୱତଙ୍କ ୪୫ ବଲରେ ଅପରାଜିତ ୬୧ ରନ ବଳରେ ୨ ୱିକେଟ ହରାଇ ଧାର୍ୟ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଭାରତୀୟ ମହିଳା ଦଳକୁ ଫାଇନାଲ ଟିକେଟ ପାଇଁ ୩୫ ବଲରେ ୨ ରନ ଦରକାର ଥିବା ବେଳେ ଶ୍ୱେତା ଦମଦାର ଚୌକା ସହ ବିଜୟ ମୁଣ୍ଡି ମାରିଥିଲେ। ତେବେ ବୋଲିଂରେ ଯାଦୁ ଦେଖାଇଥିବା ପାର୍ଶବୀ ଚୋପ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି। ସେ ୪ ଓଭରରେ ୨୦ ରନ ଦେଇ ୩ ୱିକେଟ ହାସଲ କରିଛନ୍ତି। ତାଙ୍କ ଘାତକ ବୋଲିଂ ଯୋଗୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଟିମ ସଙ୍କଟରେ ପଡ଼ିଥିଲା। ଶେଫାଳୀ ବର୍ମାଙ୍କ ନେତୃତ୍ୱରେ ଅଣ୍ଡର ୧୯ ଟି-୨୦ ବିଶ୍ୱକପ ଖେଳୁଥିବା ଭାରତୀୟ ମହିଳା ଦଳକୁ ଦ୍ୱିତୀୟ ଓଭରେ ହିଁ ସଫଳତା ମିଳିଥିଲା। ମନତ କଶ୍ୟପ ନ୍ୟୁଜିଲ୍ୟାଣ୍ଡର ଆନ୍ନା ବ୍ରୋୱିଙ୍ଗକୁ ଆଉଟ କରିଥିଲେ। ୫ ରନରେ ଦଳ ଦ୍ୱିତୀୟ ୱିକେଟ ହରାଇଥିଲା। ତେବେ ଜର୍ଜିଆ ପ୍ଲିମେର ଓ ଇସାବେଲ ଗାଜେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ।






