ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଭାବେ ପରିଚତ ନୟାଗଡ଼ ଜିଲ୍ଲାର ଶରଣକୂଳ ଲଡ଼ୁବାବା ପୀଠରେ ଅନୁଷ୍ଠିତ ହେବାକୁ ଥିବା ଚନ୍ଦନଯାତ୍ରାକୁ ବନ୍ଦ କରିଛି ପ୍ରଶାସନ । ଅକ୍ଷୟତୃତୀୟାଠାରୁ ୨୧ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାକୁ ବନ୍ଦ କରାଯାଇ ଏହାକୁ ମନ୍ଦିର ଭିତରେ ବିଧି ପାଳନ କରାଯିବାକୁ କୁହାଯାଇଛି । ସୂଚନାନୁସାରେ, ନୟାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଲଗ୍ନଜିତ ରାଉତଙ୍କ ଚିଠି ଅନୁସାରେ, ପୁଷ୍କରିନୀରେ ହେବାକୁ ଥିବା ନୈାକା ବିହାର ଏବଂ ଚନ୍ଦନ ଘରେ ରହଣୀକୁ ସଂମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ମନ୍ଦିର ବେଢ଼ାରେ ଏକ ଜଳପାତ୍ରରେ ଠାକୁରଙ୍କୁ ରଖାଯାଇ ବିଧି ପାଳନ କରାଯିବ ବୋଲି ଜଣାପଡ଼ିଛି । ଏହି ସମୟରେ ସ୍ୱଳ୍ପ ସଂଖ୍ୟକ ସେବାୟତ ରହି ବିଧି ପାଳନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ରହିଥିବା ମନ୍ଦିର ପରିଚାଳକ ସୁବାଷ ଚନ୍ଦ୍ର ବରାଡ଼ କହିଛନ୍ତି । ତେବେ ୨୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସମୟରେ ମଧ୍ୟ ମନ୍ଦିର ଭିତରେ ଭକ୍ତଦର୍ଶନ ବନ୍ଦ କରାଯାଇଛି ।






