ସୀମାନ୍ତ ଗ୍ରାମରେ ଘଳିଆ, ନଜଗିଲେ ବିପଦ !
ନୟାଗଡ଼,(ବାଘୁଆବାର୍ତ୍ତା): ବାପ ପୁଅ ରାତି ଅନିଦ୍ରା ମୁଗୁରା ପଛ ଖୋଲା ନୀତିରେ ଚାଲିଛି ନୟାଗଡ଼ ଜିଲ୍ଲା । ଭୂବନେଶ୍ୱର ଓ ଅନ୍ୟ ଜିଲ୍ଲାରୁ ଫେରନ୍ତାମାନେ ନୟାଗଡ଼ ଜିଲ୍ଲାରେ ପ୍ରବେଶ କରୁଥିବା ନେଇ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଥାନା ଅଧିକାରିଙ୍କୁ କଟକଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଫେରନ୍ତାଙ୍କୁ ଆଖି ଆଗରେ ରଖି ରଣପୁର ଥାନା ଅନ୍ତର୍ଗତ ରଣପୁର ଜେଲ୍, ସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟଗଡ଼ଠାରେ ଚେକିଂ ପୋଷ୍ଟ କରାଯାଇଥିବା ବେଳେ ସୁନାଖଳା ଫାଣ୍ଡି ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ବିନୋଦପଡ଼ାଠାରେ ଅନ୍ୟତମ ଚେକିଂ ପଏଣ୍ଟ ନିର୍ମାଣ କରାଯାଇଛି । ସେହିଭଳି ଫତେଗଡ଼ ଥାନାର ବିଭିନ୍ନ ଗ୍ରାମାଞ୍ଚଳ ସମେତ ଖଣ୍ଡପଡ଼ା ଥାନାର ସିଧାମୂଳା, ବାଣିଗୋଚ୍ଛା ଥାନା ସୀମାନ୍ତ, ଓଡ଼ଗାଁ ଥାନା ସୀମାନ୍ତରେ ଚେକ ପୋଷ୍ଟ ନିର୍ମାଣ କରାଯାଇଛି । ବିଶେଷ ଭାବରେ ଭୂବନେଶ୍ୱରକୁ ସଲଗ୍ନ କରୁଥିବା ରାସ୍ତାରେ ଯାଂଚ କଡ଼କଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ଅଳ୍ପ କିଛି ଦିନ ପରେ ଚେକିଂ ପଏଣ୍ଟ ଗୁଡ଼ିକରେ ଯାଂଚ ଠିକ ଭାବରେ କରାଯାଉ ନଥିବା ବେଳେ ଚେକିଂ ପୋଷ୍ଟ ଗୁଡ଼ିକ ଫାଙ୍କା ପଡ଼ୁଥିବା ନେଇ ଅଭିଯୋଗ ଆସୁଛି । ପାହାନ୍ତିଆ ସମୟରେ ଜିଲ୍ଲା ଭିତରକୁ ବାହାର ଲୋକଙ୍କ ପ୍ରବେଶ ଅଧିକ ରହୁଥିବା ବେଳେ ଅନେକ ଚେକ୍ ପୋଷ୍ଟରେ ରାତି ଦୁଇଟା ପରେ କୈାଣସି ପୁଲିସ କର୍ମଚାରୀ ଉପସ୍ଥିତ ରହୁନଥିବା ନେଇ ଅଭିଯୋଗ ହେଉଛି । ସେହିପରି ନୟାଗଡ଼ ଜିଲ୍ଲାର ସୀମାନ୍ତ ଗ୍ରାମ ଏବେ ଫେରନ୍ତାଙ୍କ ପାଇଁ ଘଳିଆ ବାଟ ସାଜିଛି । ରାଜ୍ୟ ରାଜପଥ କିମ୍ବା ଜାତୀୟ ରାଜପଥରେ ଆସିଲେ ବିପଦ ଥିବାରୁ ଫେରନ୍ତାମାନେ ଗ୍ରାମ୍ୟ ରାସ୍ତା ଓ ରେଳଟ୍ରାକକୁ ଆପଣାଇଥିବା ଆଲୋଚନା ହେଉଛି । କରୋନା ଆକ୍ରାନ୍ତ ଜିଲ୍ଲାରେ କାମ କରୁଥିବା ଅନେକ ଲୋକ ଚାଲିଚାଲି ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ନେଇ ଆଲୋଚନା ହେଉଥିବା ବେଳେ ପାହାନ୍ତିଆ ସମୟରେ ଅନେକ ଲୋକ ବାଇକ ଯୋଗେ ଜିଲ୍ଲା ଭିତରେ ପଶୁଥିବା ଜଣାଯାଇଛି । ସେହିଭଳି ପନିପରିବା ବୋଝେଇ ଗାଡ଼ିକୁ ସଠିକ୍ ଭାବେ ଯାଂଚ କରାଯାଉନଥିବାରୁ ଏହା ଆଗାମୀ ଦିନରେ ବିପଦ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷେ, ଅନେକ ବ୍ୟକ୍ତି ଜିଲ୍ଲା ପୁଲିସକୁ ଚିହ୍ନା ପରିଚୟ ଦେଖି ଯାଆସ କରୁଥିବା ମଧ୍ୟ ଆଲୋଚନା ହେଉଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାର ସୀମାରେ ଯାଂଚ କରିବା ଏବଂ କଟକଣା କରିବା ପାଇଁ ଜିଲ୍ଲା ପୁଲିସ ବଦଳରେ ଜିଲ୍ଲାପାଳ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।






