ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ କାର୍ରେ ଗୋଡାଇବା ଘଟଣା । ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପୁରୀରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅରବିନ୍ଦ ମହାକୁଡ଼ ଓ ଚକ୍ରଧର । ସେମାନେ ବ୍ୟବହାର କରିଥିବା ଇନୋଭା କାରକୁ ମଧ୍ୟ ଜବତ କରିଛି ପୋଲିସ। ସୋମବାର ରାତିରେ ମହିଳା ଏସ୍ଆଇ ଶୁଭଶ୍ରୀ ଆକ୍ରମଣର ଶିକାର ହୋଇଥିଲେ । ଶୁଭଶ୍ରୀ ଡ୍ୟୁଟି ସାରି ଥାନାରୁ ରିଜର୍ଭ ପୁଲିସ୍ ବାରାକ୍ସ୍ଥିତ କ୍ୱାର୍ଟର୍ସକୁ ଫେରିବା ବେଳେ ଅଭିଯୁକ୍ତମାନେ ଇନୋଭା କାରରେ ପିଛା କରିଥିଲେ । ଶୁଭଶ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ । ଶୁଭଶ୍ରୀ ଡରିମରି ଦ୍ରୁତଗତିରେ ତାଙ୍କ କାରକୁ ବାରାକ୍ ଭିତରକୁ ନେଇଯାଇଥିଲେ । ପରେ ଅଭିଯୁକ୍ତମାନେ ବାରାକ୍ ଭିତରେ ଖଣ୍ଡା କାଢ଼ି ହାଣିବାକୁ ଚେଷ୍ଟା କରିଥିଲେ ବୋଲି ଶୁଭଶ୍ରୀ ଏତଲାରେ ଦର୍ଶାଇଥିଲେ । ନିଶାସକ୍ତ ଅବସ୍ଥାରେ ଖଣ୍ଡାରେ ଆକ୍ରମଣ କରିଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଆକ୍ସନ ନେଇ ଦୁଇ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି । ଏହାସହ ସେମାନ ବ୍ୟବହାର କରିଥିବା ଇନୋଭା କାର୍କୁ ମଧ୍ୟ ଜବତ କରିଛି କମିଶନରେଟ୍ ପୋଲିସ ।





