ରାଜ୍ୟ ଫେରନ୍ତା ଚିନ୍ତା
ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଭିସି ଜରିଆରେ ସମସ୍ତ ପଂଚାୟତର ସରପଂଚ ତଥା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଡ. ପୋମା ଟୁଡୁ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସରପଂଚମାନଙ୍କ ସହିତ ଭିଡିଓ କନଫରେନସିଂ ଦ୍ୱାରା ଆଲୋଚନା କରି କହିଛନ୍ତି ଯେ, ଯେଉଁମାନେ ଅନ୍ୟ ରାଜ୍ୟରୁ ଗାଁକୁ ଆସିବେ ପଂଚାୟତରେ ଥିବା ଫର୍ମରେ ସେମାନଙ୍କ ନାମ ପ୍ରଥମେ ପଂଜୀକୃତ କରାଯିବ । ଏହା ଅନ୍ଲାଇନରେ ମଧ୍ୟ ହୋଇପାରିବ । ଏହି ପଂଜୀକରଣ ସଂପୃକ୍ତ ବ୍ୟକ୍ତି କିମ୍ବା ସେମାନଙ୍କର ସଂପର୍କୀୟମାନେ ମଧ୍ୟ କରିପାରିବେ । ସୂଚନାନୁସାରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଆଜି ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କର ନାମ ପଂଜିକରଣ ପ୍ରକିୟା ଆରମ୍ଭ ହୋଇଛି । ଲକ୍ଡାଉନ୍ ଉଠିବା ପରେ ରାଜ୍ୟ ବାହାରେ ଥିବା ଲୋକମାନେ କିଭଳି ଫେରିବେ, ଫେରିବା ପରେ ୧୪ ଦିନ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ଆଗୁଆ ବ୍ୟବସ୍ଥା ଗ୍ରହଣ କରିବା, ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଦି ଅନେକ ବିଷୟରେ ଆଜି ଆଲୋଚନା ଅନୁଷ୍ଠିତ ହୋଇଛି । ଏହି କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡ଼ିକରେ ପ୍ରର୍ଯ୍ୟାପ୍ତ ପରିମାଣର ଶର୍ଯ୍ୟା ବ୍ୟବସ୍ଥା କରିବା, ୨୪ ଘଣ୍ଟିଆ ବିଦ୍ୟୁତ୍ ବ୍ୟବସ୍ଥା, ପାଇଖାନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ପ୍ରତ୍ୟେକ ସମୟରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯିବ ସେ ନେଇ ଆଲୋଚନା କରାଯାଇଛି । ଏହି ଭିଡିଓ କନଫରେସନ୍ସିଂରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଯୋଗ ହୋଇଥିଲେ ।






